ପୁରୀ, ଆଜି ସୋମବାର, ଭାଦ୍ରବ-କୃଷ୍ଣ ପଂଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଂଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି । ରାତି ୮ଟା ପରେ ପୁଣି ଦର୍ଶନ ବ୍ୟବସ୍ଥା ଚାଲୁ ରହିବ ।
ଶ୍ରୀବିଗ୍ରହ ମାନଙ୍କର ଶ୍ରୀମୁଖର ଚତୁଃପାର୍ଶ୍ଵରେ ସ୍ଵର୍ଣ୍ଣ ନିର୍ମିତ ଏକ ତିନି ଅଙ୍ଗୁଳି ଓସାର ବଳୟ ସ୍ଵର୍ଣ୍ଣ ପଟିକୁ ରାହୁ ରେଖା କୁହାଯାଏ । ଯାହା ବିଦ୍ୟାପତି ଓ ବିଶ୍ଵାବସୁ କୂଳର ସେବକମାନେ ଯାଇ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମୁଖ ମଣ୍ଡଳରେ ଭୂଷିତ କରାଇଥାନ୍ତି ।