ରାଜୌରୀ, ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲା ସଙ୍ଗପୁର ଗାଁର ରାଜପଥରୁ ଆଇଇଡି ଜବତ ହୋଇଛି । ଜବତ ପରେ ବୋମା ନିଷ୍କ୍ରିୟକାରୀ ଟିମ ଏହାକୁ ନଷ୍ଟ କରିଦେଇଛନ୍ତି । ପ୍ରାୟ ଅଢେଇ ଘଣ୍ଟା ପରେ ରାଜପଥରେ ଗାଡି ମୋଟର ଚଳାଚଳ ସ୍ୱାଭାବିକ ହୋଇଛି ।
ସେନା ଅଧିକାରୀଙ୍କ ସୂଚନା ମୁତାବକ ନିୟମିତ ଗସ୍ତ ସମୟରେ ସୁରକ୍ଷାକର୍ମୀମାନେ ନାରିୟନ ଓ ଚିଙ୍ଗସ ମଧ୍ୟରେ ଥିବା ସଙ୍ଗପୁର ଗାଁ ରାସ୍ତାରେ କିଛି ସନ୍ଦିଗ୍ଧ ସାମଗ୍ରୀ ପଡିଥିବାର ଦେଖିଥିଲେ । ଏକ ଟିଫିନ ମଧ୍ୟରେ ଏହି ସନ୍ଦିଗ୍ଧ ସାମଗ୍ରୀ ରଖାଯାଇଥିଲା । ଏହାପରେ ଏହି ରାସ୍ତାରେ ଗାଡି ମୋଟର ଯାତାୟତ ବନ୍ଦ କରିଦିଆଯାଇଥିଲା । ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯାଇଥିଲା । ଭାରତୀୟ ସେନାର ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ପୋଲିସ ଓ ସେନା ସହାୟତାର ଏହି ସାମଗ୍ରୀର ଯାଞ୍ଚ କରିଥିଲେ । ଏହା ଏକ ଟିଫିନ ଆଇଇଡି ଥିବା ଯାଞ୍ଚ ସମୟରେ ଜଣାପଡିଥିଲା । ତେବେ ସମୟ ପୂର୍ବରୁ ବୋମା ନିଷ୍କ୍ରିୟକାରୀ ଟିମ୍ ଏହାକୁ ନଷ୍ଟ କରି ଦେଇଛନ୍ତି । ଏହାପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା ।