ପୁରୀ, ଆସନ୍ତାକାଲି ସୋମବାର, ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ ।ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀଜୀଉ ମାନଙ୍କର ରାହୁ ରେଖା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହ ମାନଙ୍କର ଶ୍ରୀମୁଖର ଚତୁଃପାର୍ଶ୍ଵରେ ସ୍ଵର୍ଣ୍ଣ ନିର୍ମିତ ଏକ ତିନି ଅଙ୍ଗୁଳି ଓସାର ବଳୟ ସ୍ଵର୍ଣ୍ଣ ପଟିକୁ ରାହୁ ରେଖା କୁହାଯାଏ । ଯାହା ବିଦ୍ୟାପତି ଓ ବିଶ୍ଵାବସୁ କୂଳର ସେବକମାନେ ଯାଇ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମୁଖ ମଣ୍ଡଳରେ କରାଇ ଭୂଷିତ କରାଇଥାନ୍ତି। ଶ୍ରୀଜୀଉ ମାନଙ୍କ ଅବକାଶ ନୀତି ଏବଂ ଗୋପାଳ ବଲ୍ଲଭ ଭୋଗ ବଢ଼ିଲା ପରେ ତଢାଉକରଣ ଓ ଦେଉଳିକରଣ ଭଣ୍ଡାର ମେକାପକୁ କହି ଭଣ୍ଡାରରୁ ମୁଦ ହୋଇଥିବା ସୁବର୍ଣ୍ଣ ରାହୁ ରେଖା ବାହାର କରି ଆଣିବେ। ଶ୍ରୀମନ୍ଦିର ବେହେରଣ ଦ୍ଵାରଠାରେ ଉପସ୍ଥିତ ହୋଇଥିବା ବଣିଆ ସେବକ ମାନଙ୍କୁ ଉକ୍ତ ରାହୁ ରେଖା ମାଜି ସଫା କରିବାକୁ ଦେବେ । ଭୋଗ ମଣ୍ଡପନୀତି ବଢି ସାରିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ଵାର ବନ୍ଦ କରିବା ପରେ ପାଳିଆ ପୁଷ୍ପାଳକମାନେ ସିଂହାସନ ଉପରେ ଠାକୁର ମାନଙ୍କର ଝୋବା କଣ୍ଠି ଓଲାଗି କାର୍ଯ୍ୟ ସମାପନ କରିବେ । ତତ୍ପରେ ମହାଜନ ସେବକମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ନେଇ ଖଟଶେଯ ଘରେ ବିଜେ କରାଇବେ । ଏହି ସମୟରେ ସୁଦୁ ସୁଆର ସିଂହାସନ ତଳେ ଓଷୁଅ ରଖି, ବୋଇରାଣୀ ବସ୍ତ୍ର ପାହାଡା ପକାଇବେ । ବଣିଆମାନେ ସେଇ ବୋଇରାଣୀ ପାହାଡା ଉପରେ ସ୍ପର୍ଶ ରାହୁରେଖାକୁ ଉକ୍ତ ଓଷୁଅରେ ମୁହଁ ବନ୍ଦ କରିବାପରେ ପାଳିଆ ଖୁଣ୍ଟିଆ ଦଇତାପତି ମାନଙ୍କୁ ଡାକବବେ । ଦଇତାପତି ସେବକମାନେ ବେହେରଣ ତଳେ ଗୋଡ ଧୋଇ ସିଂହାସନ ଉପରକୁ ଯାଇ ଗରାବଡୁ ସେବକ ଠାରୁ ହାତୁଆଣି ଆଣିବେ । ପାଳିଆ ମେକାପ ଠାରୁ ଶ୍ରୀ ଅଙ୍ଗ ମଣି ନେବେ । ପାଳିଆ ମେକାପ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରାହୁରେଖା ପତି ମହାପାତ୍ରଙ୍କ ହାତକୁ ଅର୍ପଣ କରିବେ। ପତି ମହାପାତ୍ର ଉକ୍ତ ରାହୁ ରେଖା ମାନଙ୍କୁ ସଂସ୍କାର କରି ଯଥାକ୍ରମେ ତିନି ବାଡ଼ର ବାଡଗ୍ରାହି ଦଇତା ମାନଙ୍କୁ ବଢାଇବେ । ଏହା ପରେ ସମସ୍ତ ଦଇତାମାନେ ମିଶି ସୁଧ ସୁଆର ଠାରୁ ଓଷୁଅ ଓ ଚାଙ୍ଗଡ଼ା ମେକାପଙ୍କ ଠାରୁ ବଇତମ (ସଫା କନା) ନେଇ ରୁନ୍ଧା କାଯ୍ୟ ଶେଷ କରିବେ । ଶ୍ରୀବିଗ୍ରହ ମାନଙ୍କ ମୁଖାରବିନ୍ଦରେ ଓଷୁଅ ସାହାଯ୍ଯରେ ରାହୁରେଖାକୁ ଲଗାଇବେ । ରୁନ୍ଧା କାଯ୍ୟ ଶେଷ ହେବା ପରେ ପାଳିଆ ମେକାପଙ୍କୁ ସେମାନେ ଶ୍ରୀଅଙ୍ଗ ମଣାଇ ଦେଇ ସିଂହାସନରୁ ଓହ୍ଲାଇ ଆସିବେ । ଏହାପରେ ପାଳିଆ ମେକାପ ସିଂହାସନରେ ପୋଛା ମାରିବା ପରେ ପୂଜାପଣ୍ଡା ମାନଙ୍କ ଦ୍ଵାରା ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ସଂପର୍ଣ୍ଣ ହେବା ସହ ମହାଜନ (ପୁଷ୍ପାଳକ) ଭୂଦେବୀ ଓ ଶ୍ରୀଦେବୀଙ୍କୁ ଖଟଶେଯ ଘରୁ ଆଣି ସିଂହାସନରେ ବିଜେ କରାଇବେ । ଏହି ସମୟରେ ଚତୁର୍ଦ୍ଧାମୂର୍ତିଙ୍କର ମଇଲମ ଓ ବେଶ ନୀତି ବଢିବ। ମଧ୍ୟାହ୍ନ ଧୂପପୁଜା ବଢି ଭିତରେ ପାଣି ପଡ଼ିବା ପରେ ପୂଜାପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ତ ସେବକ ମାନେ ତିନି ବାଡରେ ବନ୍ଦାପନା କରିବା ପରେ ଅନ୍ୟାନ୍ୟ ନୀତି କାର୍ଯ୍ୟ ସମ୍ପର୍ଣ୍ଣ ହେବ।