ଗଞ୍ଜାମ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗତକାଲି ରାତିରେ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି । ଏହାପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଗଞ୍ଜାମ ଅଣାଯାଉଛି । ଜନ୍ମଭୂମି ଓ କର୍ମଭୂମି ଦିଗପହଣ୍ଡିରେ ଆଜି ଅପରାହ୍ନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ।
ଖଲ୍ଲିକୋଟ, ଛତ୍ରପୁର, ବ୍ରହ୍ମପୁର, କୋର୍ଟପେଟା, ଟାଟାବେଂଜ ଛକ, ସିଟି ହସ୍ପିଟାଲ ରାସ୍ତା ଦେଇ ସୂର୍ଯ୍ୟଙ୍କ ପାର୍ଥିବ ଶରୀରକୁ ତାଙ୍କ ନିର୍ବାଚନ ମଣ୍ଡଳି ଦିଗପହଣ୍ଡି ନିଆଯିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏହି ସବୁ ସ୍ଥାନରେ ତାଙ୍କର ହଜାର ହଜାର ସଂଖ୍ୟାରେ ସମର୍ଥକ, ପ୍ରଶଂସକ ଓ ଦଳୀୟ କର୍ମୀ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ସେମାନେ ସୂର୍ଯ୍ୟଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଅପେକ୍ଷା କରି ରହିଛନ୍ତି । ଦିଗପହଣ୍ଡି କପାମଣ୍ଡି ନିକଟରେ ଥିବା ତାଙ୍କ ନିଜସ୍ଵ ଜମିରେ ଶେଷକୃତ୍ୟ ସମ୍ପନ୍ନ ହେବ।