ଗଞ୍ଜାମ, ଆଷାଢ଼ ସରିଲା, ଶ୍ରାବଣ ସରିଲା ଏବେ ଭାଦ୍ରବ ମାସ ଚାଲିଲା । ରାଜ୍ୟରେ କେଉଁଠି ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଆଉ କେଉଁଠି ସୁଖିଲା ପାଗ ଜାରି ରହିଛି । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷର ବୃଷ୍ଟିପାତ ହାର ବହୁତ କମ୍ ରହିଛି । ଖରିଫ୍ ଚାଷ ସମୟରେ ଲଗାତାର ୩ ମାସ ଧରି ନିଅଂଟିଆ ବର୍ଷା ରେକର୍ଡ଼ କରାଯାଇଛି । ଯାହାକି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ବର୍ଷା ଅଭାବରୁ ଗଞ୍ଜାମ ଜିଲ୍ଲାରେ ଖରିଫ ଚାଷ ନଷ୍ଟ ହେବାକୁ ବସିଲାଣି । ପାଣି ନମିଳିବାରୁ ବିଭିନ୍ନ ସ୍ଥାନରେ ତଳି ବୁଢା ହୋଇଗଲାଣି । ସେପଟେ ରୁଆ ହୋଇଥିବା ଜମି ଜଳ ଅଭାବରୁ ସୁଖି ଟାଙ୍ଗରା ଭୂଇଁ ପାଲଟିଛି । ଏଭଳି ଜଟିଳ ସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନକୁ କୌଣସି ରାସ୍ତା ଦେଖାଯାଉନାହିଁ । ବର୍ଷା ନଥିବାରୁ ଚାଷ କାମ ଆଗେଇ ପାରୁନାହିଁ । ଯାହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ ରହିଛନ୍ତି । ପାଣି ଅଭାବ ଯୋଗୁଁ ଚଳିତ ବର୍ଷ ଖରିଫ୍ ଅମଳ କମିବ ବୋଲି ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି ।
ଗଞ୍ଜାମ ଜିଲ୍ଲାରେ ବିଳମ୍ବରେ ମୌସୁମୀ ବର୍ଷା ହେଉଥିବାରୁ ଖରିଫ୍ ଚାଷ ମଧ୍ୟ ବିଳମ୍ବ ହୋଇଥାଏ । କିନ୍ତୁ, ଚଳିତ ବର୍ଷ ବର୍ଷା ସବୁ ରେକର୍ଡ଼ ଭାଙ୍ଗିଛି । ଲଗାତାର ତିନି ମାସ ଧରି ବର୍ଷାର ପରିମାଣ କମିବା ଯୋଗୁଁ ଜିଲ୍ଲାରେ ଚାଷ ପାଇଁ ପାଣିର ଅଭାବ ଦେଖାଦେଇଛି । ପାନୀୟ ଜଳ ସଙ୍କଟ ଏତେଟା ଚିନ୍ତାଜନକ ହୋଇନଥିଲେ ସୁଦ୍ଧା ଚାଷ ପାଇଁ ପାଣି ପାଇବାରେ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଧ୍ୟ ହୋଇ ଚାଷୀ ନଦୀରେ ବନ୍ଧ ବାନ୍ଧି ଜମିକୁ ପାଣି ନେବାକୁ ଉଦ୍ୟମ କରୁଥିବା ବେଳେ ଟ୍ୟାଙ୍କରରେ ପାଣି ନେଇ ଧାନଜମିରେ ସିଂଚନ କରୁଥିବା ଦେଖିବାକୁ ମିଳିଛି । ଗତ ଜୁନ୍, ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲାରେ ବର୍ଷାର ପରିମାଣ କମିଥିଲା । ଅଗଷ୍ଟରେ ଏହାର ଭରଣା ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ, ଅଗଷ୍ଟରେ ମଧ୍ୟ ବର୍ଷାର ପରିମାଣ କମିଛି । ଜୁନ୍ ମାସରେ ଜିଲ୍ଲାରେ ହାରାହାରି ୧୬୮.୩ ମି.ମି. ବର୍ଷା ହୋଇଥାଏ । ହେଲେ ଏଥର ମାତ୍ର ୭୯.୫୦ ମି.ମି. ବର୍ଷା ରେକର୍ଡ଼ କରାଯାଇଥିଲା । ଜୁଲାଇ ମାସରେ ହାରାହାରି ୨୨୦.୮ ମି.ମି. ବର୍ଷା ହେବା କଥା । କିନ୍ତୁ, ଜୁଲାଇ ମାସରେ ୧୯୧.୩୩ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ଅଗଷ୍ଟ ମାସରେ ହାରାହାରି ସ୍ୱାଭାବିକ୍ ବର୍ଷା ୨୪୬.୮ ମି.ମି. ହେବା କଥା, କିନ୍ତୁ ବର୍ଷିଛି ୧୩୪.୫୪ ମି.ମି. । ଯାହାକି ତିନି ମାସର ସ୍ଵାଭାବିକ୍ ବର୍ଷା ଯେତିକି ହେବା କଥା ତା’ ଠାରୁ ପ୍ରାୟ ୪୫ ପ୍ରତିଶତ କମ୍ । ଗଞ୍ଜାମ ଜିଲ୍ଲାରେ ଚାଷ ପାଇଁ ଚାଷୀ ବର୍ଷା ପାଣି ଉପରେ ନିର୍ଭର କରିଥାନ୍ତି । ଚାଷ ପାଇଁ ଆବଶ୍ୟକ ପ୍ରାୟ ୬୦ ପ୍ରତିଶତ ପାଣି ବର୍ଷାଜଳ ଭରଣା କରିଥାଏ । କିନ୍ତୁ, ଚଳିତ ବର୍ଷ ଜୁନ୍, ଜୁଲାଇ ଓ ଅଗଷ୍ଟ ମାସରେ ଦେଖାଦେଇଥିବା ନିଅଂଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି । ଜିଲ୍ଲାର ଢ଼ିପ ସ୍ଥାନରେ ହଜାର ହଜାର ଏକର ଜମି ଏବେବି ପଡ଼ିଆ ପଡିଛି । ଜିଲ୍ଲା ପ୍ରଶାସନର ଉଠା ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ସହିତ ଋଷିକୂଲ୍ୟା ନଦୀ ଜଳର ସଠିକ୍ ବଂଟନ କରୁନଥିବାରୁ ଏଭଳି ସମସ୍ୟା ଦେଖାଦେଉଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ଜଳ ଉତ୍ସର ଅଭାବ ପାହିଁ । କିନ୍ତୁ, ଜଳ ସଂରକ୍ଷଣ ବ୍ୟବସ୍ଥା ସୁଦୃଢ଼ ନଥିବାରୁ ଚାଷୀଙ୍କୁ ପାଣି ମିଳିପାରୁନାହିଁ ବୋଲି ଅଭିଯୋଗ ହେଉଛି ।
ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ ଋତୁରେ ମୋଟ୍ ୪ ଲକ୍ଷ ୫ ହଜାର ୫୭୦ ହେକ୍ଟର ଚାଷ ପାଇଁ ଲକ୍ଷଧାର୍ଯ୍ୟ କରାଯାଇଛି । ତନ୍ମଧ୍ୟରୁ ମୋଟ୍ ୧ ଲକ୍ଷ ୭୯ ହଜାର ୯୪୯ ହେକ୍ଟର ଜମିରେ ଧାନଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । କୃଷି ବିଭାଗର ଆକଳନ ଅନୁସାରେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଜମିରେ ରୁଆ କାର୍ଯ୍ୟ ସରିଛି । ହେଲେ ଚାଷୀଙ୍କ କହିବା ଅନୁସାରେ, ଜିଲ୍ଲାରେ ହାରାହାରି ୫୦ରୁ ୬୦ ପ୍ରତିଶତ ରୁଆ ହୋଇଛି । ଏପରିକି କେତେକ ଅଂଚଳରେ ମଧ୍ୟ ୪୦ ପ୍ରତିଶତ ରୁଆ କାର୍ଯ୍ୟ ହୋଇନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।