ମାଲକାନଗିରି,ମାଲକାନଗିରି ଜିଲ୍ଲା ପୂର୍ବତନ ବିଜେଡି ସଭାପତି ମେହେଙ୍ଗା ସିଂଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦୀର୍ଘ ଦିନ ହେଲା ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବାବେଳେ ଆଜି ତାଙ୍କର ବିୟୋଗ ଘଟିଛି । ତାଙ୍କୁ ଦର୍ଶନ କରିବା ପାଇଁ ବହୁ ଶୁଭେଚ୍ଛୁ ମାଲକାନଗିରି ସଦର ମହକୁମା ସ୍ଥିତ ଦୁର୍ଗାଗୁଡି ସାହିରେ ଥିବା ତାଙ୍କ ବାସଭବନକୁ ଯାଇଥିବା ଜଣାପଡିଛି। ସେ ଆଜି ଭୋର୍ ୪ଟା ୩୦ ମିନିଟ୍ ରେ ମାଲକାନଗିରି ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ମେହେଙ୍ଗା ସିଂଙ୍କ ବୟସ ୭୬ ବର୍ଷ ହୋଇଥିଲା ।
ଶ୍ରୀ ମେହେଙ୍ଗା ସିଂଙ୍କ ଜନ୍ମ ୩ ମାର୍ଚ୍ଚ ୧୯୪୭ ମସିହାରେ ହୋଇଥିଲା । ୧୯୬୫ ମସିହାରେ ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଆସି ଗୋଟିଯୋଡି ଗ୍ରାମରେ ସେ ବସତି ସ୍ଥାପନ କରିଥିଲେ। ବ୍ୟବସାୟ ଏବଂ କୃଷି ଥିଲା ତାଙ୍କର ମୁଖ୍ୟ ଜୀବିକା ।୧୯୭୭ ମସିହାରେ ସର୍ବ ପ୍ରଥମେ ଜନତା ଦଳରେ ଯୋଗଦାନ କରି ମାଲକାନଗିରି ନିର୍ବାଚନ ମଣ୍ଡଳୀର ସଭାପତି ପଦବୀ ମଣ୍ଡନ କଲା ପରେ କଠିନ ପରିଶ୍ରମ କରି ଜନତା ଦଳର ସଙ୍ଗଠନକୁ ସୁଦୃଢ କରିଥିଲେ। ଫଳରେ ୧୯୭୭ ମସିହାରେ ହୋଇଥିବା ନିର୍ବାଚନରେ ଜନତା ଦଳରୁ ବିଧାୟକ ଭାବେ ନାକା କାନେୟା ବିଜୟ ଲାଭ କରିଥିଲେ। ମେହେଙ୍ଗା ସିଂଙ୍କ ବରିଷ୍ଠ ନେତୃତ୍ବ ଓ ଦକ୍ଷ ରାଜନୈତିକ ସଂଗଠକ ଯୋଗୁ ଜନତା ଦଳ ବାରମ୍ବାର ବିଜୟ ଲାଭ କରିଥିଲା ମାଲକାନଗିରି ନିର୍ବାଚନ ମଣ୍ଡଳୀରେ। ଶ୍ରୀ ସିଂ ଥିଲେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ଅତି ଆପଣାର ମଣିଷ । ସେ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ମାଲକାନଗିରି ଅଞ୍ଚଳର ଯାହା ବିକାଶର କଥା ବିଜୁବାବୁଙ୍କ ନିକଟରେ ଉପସ୍ଥାପନ କରୁଥିଲେ, ସିଧାସଳଖ ତାଙ୍କ କଥାକୁ ଗୁରୁତ୍ବ ଦେଉଥିଲେ। ୧୯୯୦ ମସିହାରୁ ୧୯୯୭ ଜନତା ଦଳ ଏବଂ ୧୯୯୭ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ବିଜୁ ଜନତା ଦଳର ସଭାପତି ଥିଲେ।ସେ ଯୁବ ଅବସ୍ଥାରୁ ବାର୍ଦ୍ଧକ୍ୟ ଅବସ୍ଥା ପର୍ଯ୍ୟନ୍ତ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ। ସ୍ବାର୍ଥ ପାଇଁ ନେତା ଆଉ କର୍ମୀ ଦଳ ବଦଳ କରାଯାଉଥିବା ଦେଖା ଦେଇଥିଲା ବେଳେ ମେହେଙ୍ଗା ସିଂ ଦଳ ବଦଳ କରିନଥିଲେ। ସେ ଜଣେ ବିଜୁବାବୁଙ୍କ ସଚ୍ଚା କର୍ମୀ ଥିଲେ। ବିଜୁବାବୁଙ୍କ ଦେହାନ୍ତ ପରେ ମଧ୍ୟ ବିଜେଡିରେ ସଭାପତି ରହି ଦାୟିତ୍ଵ ନିର୍ବାହ କରିଥିଲେ। ମାଲକାନଗିରିରେ ଜନତା ଦଳ ହେଉ କି ବିଜୁ ଜନତା ଦଳ ହେଉ ମେହେଙ୍ଗା ସିଂଙ୍କୁ ବୁଝାଉଥିଲା । ସେ ଆଜି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବର୍ତ୍ତମାନ ତାଙ୍କ ମୃତ ଶରୀରକୁ ଦୁର୍ଗାଗୁଡି ସ୍ଥିତ ବାସଭବନ ରଖାଯାଇଛି। ତାଙ୍କ ମରଶରୀର ନିକଟରେ ପତ୍ନୀ ରାଜବନ୍ତ କୌର, ଦୁଇ ପୁଅ, ବୋହୂ, ନାତି ରହିଛନ୍ତି।