ଭୁବନେଶ୍ୱର – ଜାଗ୍ରିତି ଯାତ୍ରାରେ ସାରା ଭାରତ ଭ୍ରମଣ କରିବେ ଓଡିଆ ଉଦ୍ୟୋଗୀ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ତତ୍ୱାବଧାନରେ ଓଡିଶାରୁ ୧୦ ଜଣ ନାନୋ ୟୁନିକର୍ଣ୍ଣ ଓ ୧୦ ଜଣ ଷ୍ଟାର୍ଟ ଅପ୍ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।
ଓଡିଶାରେ ଏହି ଉଦ୍ୟୋଗୀମାନେ ରବିବାର ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ତେଣୁ ଏ ନେଇ ସ୍ଥାନୀୟ ସିୱାଇଏସଡି ଠାରେ ଓଏସଡିଏ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । କାର୍ଯ୍ୟକ୍ରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଯୋଗ ଦେଇ ଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ । ସେ କହିଥିଲେ ଯେ ଜଣେ ସଫଳ ବ୍ୟବସାୟୀ ହେବା ନିମନ୍ତେ ଭ୍ରମଣ କରିବାର ଆବଶ୍ୟକତା ରହିଛି । ଏହି ଯାତ୍ରାରେ ଓଡିଶାର ଆମ୍ବାସାଡର ହୋଇ ବିଭିନ୍ନ ପ୍ରାନ୍ତର ଯାତ୍ରୀଙ୍କ ସହ ମିଶି ନୂଆ କଥା ଶିଖି ଅଭିଜ୍ଞତା ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି ଯାତ୍ରାରେ ପ୍ରାୟ ୧୫ ଦିନ ଗୋଟିଏ ଟ୍ରେନ୍ ରେ ୮ ହଜାର କିମି ରାସ୍ତା ଅତିକ୍ରମ କରି ୪୫୦ ଯାତ୍ରୀ ୧୨ ଟି ସହର ପରିଭ୍ରମଣ କରିବେ । ୨୪ ଡିସେମ୍ବରରୁ ମୁମ୍ବାଇରୁ ଦେଶର ଅନ୍ୟ ପ୍ରାନ୍ତର ଉଦ୍ୟୋଗୀ ମାନଙ୍କ ସହ ମିଶି ଏହି ଯାତ୍ରା ଆରମ୍ଭ ହେବ । ଏଥିପାଇଁ ସାରା ଦେଶରୁ ୧୫ ହଜାର ଆଶାୟୀ ଆବେଦନ କରିଥିଲେ । ସେଥିମଧ୍ୟରୁ କେବଳ ୪୫୦ ଜଣଙ୍କୁ ଚୟନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୨୦ ଜଣ ଓଡିଆ ଉଦ୍ୟୋଗୀ ରହିଛନ୍ତି ।
ଡିସେମ୍ବର ୨୪ ରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ ଠାରେ ସକାଳ ୮ଟାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଜାନୁଆରୀ ୮ ତାରିଖରେ ଏହି ଜାଗ୍ରିତି ଟ୍ରେନ୍ ପ୍ରତ୍ୟାବର୍ତନ କରିବ । ଏହି ଯାତ୍ରା ମୁମ୍ବାଇରୁ ଆରମ୍ଭ ହୋଇ ହୁବଲି , ବେଙ୍ଗାଲୁରୁ, ମଦୁରାଇ, ଚେନ୍ନାଇ, ବିଶାଖାପାଟଟନମ୍ , ବ୍ରହ୍ମପୁର, ରାଜଗିର, ଦେଓରିଆ , ଦିଲ୍ଲୀ, ତିଲୋନିଆ ଓ ଅହମ୍ମଦାବାଦ ସହ ଦେଇ ମୁମ୍ବାଇରେ ପହଂଚିବ ।
ସମସ୍ତ ଯାତ୍ରୀ ଡିସେମ୍ବର ୩୧ରେ ବ୍ରହ୍ମପୁର ପହଂଚିବା ପରେ ବ୍ରହ୍ମପୁରସ୍ଥିତ ଗ୍ରାମ ବିକାଶ ସଂସ୍ଥାରେ ଦକ୍ଷତା ବିକଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଂଜୟ କମାର ସିଂ ସେମାନଙ୍କୁ ଉଦବୋଧନ ଦେବେ ।