ବଲାଙ୍ଗିର – ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଯୋଗିସୁର୍ଡ଼ା ଗାଁର ସଦାନନ୍ଦ ପ୍ରଧାନଙ୍କ ଖଳାରେ ନିଆଁ ଲାଗିବାରୁ ପ୍ରାୟ ୨୦୦ କ୍ୱିଂଟାଲ ଧାନ ପୋଡ଼ି ନଷ୍ଟ ହୋଇଯାଇଛି ।
କ୍ଷେତରୁ ଧାନ କଟା ହୋଇ ଆସିଥିଲା । ବିଡ଼ା ବନ୍ଧା ହୋଇ ଖଳାରେ ଗଦା କରି ରଖାଯାଇଥିଲା । ସଦାନନ୍ଦଙ୍କ ସମେତ ଗାଁର ଆଉ ୪ ଜଣ ଚାଷୀ ମଧ୍ୟ ସେମାନଙ୍କ କଟାଧାନକୁ ବିଡ଼ା କରି ଏହିଠାରେ ଗଦା କରି ରଖିଥିଲେ । ହେଲେ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ ଖଳାରେ ନିଆଁ ଲଗାଇ ଦେଇଥିଲା । ଆଜି ସକାଳେ ଖଳାରେ ନିଆଁ ଜଳୁଥିବା ଦେଖି ଗାଁ ଲୋକେ ତୁରନ୍ତ ଲୋଇସିଂହା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ଦମକଳବାହିନୀ ଘଟଣାସ୍ଥଳରେ ପହଂଚିଲା ବେଳକୁ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ୫ ଜଣ ଚାଷୀଙ୍କର ପ୍ରାୟ ୨୦୦ କ୍ୱିଂଟାଲ ଧାନ ପୋଡ଼ି ଯାଇଥିବା ଅନୁମାନ କରାଯାଉଛି । ଚାଷୀ ମାନେ ସେମାନଙ୍କର ବର୍ଷକର ପରିଶ୍ରମର ଫସଲ ହରାଇ ଏବେ ହତାଶ ହୋଇପଡିଛନ୍ତି । ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ପୂର୍ବକ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି ।