ଭୁବନେଶ୍ୱର – ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ଘଟଣା ପ୍ରତିବାଦରେ ଭୁବନେଶ୍ୱର ଶିଖ୍ ସମାଜ ପକ୍ଷରୁ ଆଜି ରାଜଧାନୀରେ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ଖାରବେଳ ନଗର ସ୍ଥିତ ଗୁରୁଦ୍ୱାରରୁ ବାହାରି ମାଷ୍ଟର କ୍ୟାଂଟିନ୍ ଠାରେ ପହଂଚିଥିଲା । ପଞ୍ଜାବରୁ ଆସିଥିବା ଦୁଇ ବିଧାୟକ ସମରଜିତ୍ ସିଂହ ଓ ବଲବନ୍ତ ସିଂହ ଏଥିରେ ସାମିଲ୍ ହୋଇଥିଲେ ।
ଦୁଇ ବିଧାୟକ ଅଭିଯୋଗ କରିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଦେଖା କରିବାକୁ ଚାହିଁଥିଲେ ସୁଦ୍ଧା ସେମାନଙ୍କୁ ସମୟ ଦିଆଗଲା ନାହିଁ । ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନନିଅନ୍ତି, ତେବେ ଆଗାମୀ ଦିନରେ ଦାବି ପୂରଣ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ । ଉଚ୍ଛେଦ ପରେ ମଙ୍ଗୁମଠକୁ ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଛି । ଭିତରକୁ ଯିବା ପାଇଁ ମଧ୍ୟ ଅନୁମତି ଦିଆଗଲାନାହିଁ । ଏହା ବିରୋଧରେ ଅନ୍ଦୋଳନ କରାଯିବ, ଆବଶ୍ୟକ ପଡିଲେ ଏହି ଆନ୍ଦୋଳନରେ ପଞ୍ଜାବରୁ ଲକ୍ଷାଧିକ ଲୋକ ଆସି ଯୋଗଦେବେ । ବିଧାୟକ ଦ୍ୱୟ କହିଥିଲେ ଯେ, ମନ୍ଦିର ନଭାଙ୍ଗି ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଇପାରିଥାନ୍ତା । ମୁଖ୍ୟମନ୍ତ୍ରୀ ନବୀନ ଥରେ ପଞ୍ଜାବ ଆସି ଏହା ଦେଖିଯାନ୍ତୁ ।