
-
ସଭାରେ ଯୋଗଦେବେ ମେଧା ପାଟେକର,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ଆଗାମୀ ସେପ୍ଟେମ୍ବର ୯ ତାରିଖ ଶନିବାର ପୂର୍ବାହ୍ନ ୧୦ ଟା ବେଳେ ପୁରୀ ଉପକଣ୍ଠସ୍ଥ ବେଲଦଳ ଠାରେ କୃଷକ ବିଜୟ ସମାବେଶ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ବାଇଶମୌଜା ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ସଚେତନତା ସଭା କ୍ରମାନ୍ୱୟରେ ଅନୁଷ୍ଠିତ ହୋଇଆସୁଛି । ସୋମବାର ଅପରାହ୍ନରେ ବାଇଶମୌଜା ଅନ୍ତର୍ଗତ ଗଡ଼ ଭିଙ୍ଗୁରା ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ସଭାପତି ଦାମୋଦର ପ୍ରଧାନ, ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର, ସମ୍ପାଦକ ପ୍ରଭାକର ସ୍ୱାଇଁ, ଗଡଭିଙ୍ଗୁରା ଗ୍ରାମର ସଭାପତି ଗନ୍ଧର୍ବ ନାୟକ, ଉପସଭାପତି ମଧୁ ରାଉତରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଗ୍ରସେନ ଜେନା, କୈଳାସ ସ୍ବାଇଁ, ଦାମ ନାୟକ, ହରପ୍ରସାଦ ଜେନା ପ୍ରମୁଖ ଦୀର୍ଘ ୧୭ ବର୍ଷର ସଙ୍ଘର୍ଷ ସମ୍ପର୍କରେ ବିସ୍ତୃତ ବିବରଣୀ ପାଠ କରିଥିଲେ । ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ପ୍ରମୁଖ ଯୋଦ୍ଧା ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତତ୍କାଳୀନ ବିଜେଡ଼ି-ବିଜେପି ମିଳିତ ସରକାରଙ୍କ ବେଦାନ୍ତ ପ୍ରିତୀ ଓ ବେଆଇନ ଚାଷଜମି ଅଧିଗ୍ରହଣ ସମ୍ପର୍କରେ ବିସ୍ତୃତ ସୂଚନାକ୍ରମେ ଉପସ୍ଥିତ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ବେଦାନ୍ତର ଚାଷଜମି ଅଧିଗ୍ରହଣକୁ ଲୋକପାଳଙ୍କ ଠାରୁ ଆରମ୍ଭକରି ଓଡ଼ିଶା ହାଇକୋର୍ଟ ଓ ଶେଷରେ ମାନ୍ୟବର ସୁପ୍ରିମକୋର୍ଟ ବେଆଇନ ସାବ୍ୟସ୍ତ କରିଛନ୍ତି । ତତ୍କାଳୀନ ମିଳିତ ସରକାର ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ସହ ବାଇଶମୌଜାରୁ ହଜାର ହଜାର ଏକର ଚାଷ ଜମି ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ହସ୍ତାନ୍ତର କରିଥିଲେ । କମ୍ପାନୀ ବିଶ୍ବବିଦ୍ୟାଳୟ ଆଳରେ ହାତେଇଥିବା ଏହି ଚାଷଜମିରେ ବିଶ୍ବବିଦ୍ୟାଳୟ ସହ ଏକ ନୂତନ ସହରର ପରିକଳ୍ପନା କରିଥିଲା । ଏହି ଅଞ୍ଚଳରେ ବେଦାନ୍ତର ସ୍ବତନ୍ତ୍ର ନୀତି ନିୟମ ଲାଗୁ କରାଇବା ସହ ବହୁ ଉଚ୍ଚ ଅଟ୍ଟାଳିକା, ବୃହତ୍ ବିଦ୍ୟୁତ୍ ତାପଜ କେନ୍ଦ୍ର ସ୍ଥାପନା ଭୂଗର୍ଭରୁ ମାତ୍ରାଧିକ ଜଳ ଉତ୍ତୋଳନ କରିଥାଆନ୍ତା । ଯାହାଫଳରେ ପୁରୀ ସହର ଓ ସମସ୍ତ ଆଖପାଖ ଅଞ୍ଚଳ ନିଜ ସ୍ୱତନ୍ତ୍ରତା ହରାଇବା ସହ ପରିବେଶ, ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଜୁଡି ପଡିଥାଆନ୍ତା । ଏପରିକି ବେଦାନ୍ତର ସ୍ଵତନ୍ତ୍ର ନୀତି ପ୍ରଭାବରେ ପୁରୀ ବେଳାଭୂମି, ସ୍ଵର୍ଗଦ୍ଵାର, ବଡ଼ଦାଣ୍ଡ, ଶ୍ରୀମନ୍ଦିର, ଶ୍ରୀଜିଉଙ୍କ ରଥଯାତ୍ରା ସମେତ ସର୍ବସାଧାରଣଙ୍କ ଜୀବନ ଯାପନରେ ଏକ ପ୍ରକାର ଅନ୍ତରାୟ ସୃଷ୍ଟି କରିଥାଆନ୍ତା । ବେଦାନ୍ତକୁ ବେଆଇନ ଜମି ଅଧିଗ୍ରହଣ ହସ୍ତାନ୍ତର ସହ ଲାଗୁ କରିବାକୁ ଥିବା ସ୍ବତନ୍ତ୍ର ନୀତି ସମ୍ପର୍କରେ ସରକାର କୌଣସି ତର୍ଜମା କରିନଥିବା ସମ୍ପର୍କରେ ମାନ୍ୟବର ସୁପ୍ରିମକୋର୍ଟ ମାମଲାର ଶୁଣାଣି ପରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ବେଆଇନ ଜମି ଅଧିଗ୍ରହଣ ନେଇ ବେଦାନ୍ତ କମ୍ପାନୀକୁ ୫ ଲକ୍ଷ ଟଙ୍କାର ଜରିମାନା କରିଥିଲେ । ଏଣିକି ବିନା ଗ୍ରାମସଭାରେ ସରକାରଙ୍କ ମନମୁଖୀ ଜମି ଅଧିଗ୍ରହଣ ଉପରେ ଏହି ମାମଲା ଏକ ରକମର ପୂର୍ଣ୍ଣଛେଦ ଟାଣିଦେଇଛି । ଓଡ଼ିଶା ସରକାରଙ୍କ ଏହି ବେଆଇନ ଜମି ଅଧିଗ୍ରହଣ ଉପରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣ ମାମଲା ପରିଚାଳନା କରି ବିଜୟୀ କରାଇଥିଲେ । ବେଦାନ୍ତ କମ୍ପାନୀର ଏହି ଜମି ହଡ଼ପ କେଳେଙ୍କାରୀକୁ ନେଇ ବାଇଶ ମୌଜାର ଜନ ଆନ୍ଦୋଳନକୁ ଜାତୀୟ ସ୍ତରର ବିଶିଷ୍ଟ ଜନନେତ୍ରୀ ମେଧା ପାଟେକରଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବହୁ ସଙ୍ଗଠନ ସମର୍ଥନ ଦେଇଥିଲେ । ତେଣୁ ଆଗାମୀ ସେପ୍ଟେମ୍ବର ମାସ ୯ ତାରିଖରେ ପୁରୀ ବେଲଦଳ ଠାରେ ପାଳନ ହେବାକୁ ଥିବା କୃଷକ ବିଜୟ ସମାବେଶରେ ଯୋଗ ଦେବାପାଇଁ ଆସୁଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣ ଓ ବିଶିଷ୍ଟ ଜନନେତ୍ରୀ ମେଧା ପାଟେକରଙ୍କୁ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ସମ୍ମାନିତ କରାଯିବ ।ଏହି ବେଆଇନ ଚାଷଜମି ଅଧିଗ୍ରହଣରେ କ୍ଷତିଗ୍ରସ୍ତ ହୋଇଥିବା ବାଇଶମୌଜା ଅଞ୍ଚଳର ସମସ୍ତ ଚାଷୀ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଶ୍ରୀରଥ ଆହ୍ବାନ ଦେଇଥିଲେ ।