ଜୟପୁର, ଅଜଣା ବସ ଧକ୍କାରେ ଜଣକର ମୃତ୍ୟୁ ମାମଲାରେ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗୁପ୍ତା ନାମକ ଘରୋଇ ବସ ଧକ୍କା ଦେଇଥିବା ବେଳେ ବସର ଡ୍ରାଇଭରକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଡ୍ରାଇଭର ଜଣକ ହେଲା କୋଟପାଡ ଅଞ୍ଚଳର ବିକ୍ରମ ଦେବ ସାମନ୍ତରାୟ ।
ସୂଚନା ଅନୁଯାୟୀ ଗତ ଅଗଷ୍ଟ ୬ ତାରିଖରେ ବୈପାରିଗୁଡା ଥାନା ବରଗାଁ ଗ୍ରାମର ଶ୍ରୀରାମ ହରିଜନ, ପ୍ରଧାନିପୁଟ ଗ୍ରାମର ଡମୁ ହରିଜନ ୯ଟି ମହିଷି ଧରି ଯାଉଥିଲେ । ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ନିକଟରେ ଏକ ଅଜଣା ବସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ୍ରଶ୍ରୀରାମ ହରିଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଡମୁ ହରିଜନ ଗୁରୁତର ହୋଇଛନ୍ତି । ଡମୁଙ୍କୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏନେଇ ଶବକୁ ସଦର ଥାନା ନିକଟରେ ରଖି ତୁରନ୍ତ ବସ କୁ ଜବତ, ଡ୍ରାଇଭରକୁ ଗିରଫ କରାଯାଉ, କ୍ଷତି ପୁରଣ ପ୍ରଦାନ କରାଯାଉ, ଆଦି ଦାବି କରିଥିଲେ ସ୍ଥାନୀୟ ଲୋକ। ପରେ ଜୟପୁର ସଦର ଥାନା ଅଧିକାରି ଇଶ୍ଵର ତାଣ୍ଡି ମୃତ ଓ ଆହତ ପରିବାର ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଏହି ଅଜଣା ବସ କୁ ଧରିବା ପାଇଁ ପ୍ରତିଶୃତି ଦେବା ସହ ସରକାରଙ୍କ ତରଫରୁ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କଲେ ୨ ଲକ୍ଷ ଟଙ୍କା କ୍ଷତିପୁରଣ ମିଳିବାର ନିୟମ ରହିଛି ବୋଲି ବୁଝା ସୁଝା କରିବାରୁ ଶବକୁ ଧରି ଗ୍ରାମକୁ ଫେରିଥିଲେ । ଏନେଇ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରି କୋର୍ଟଚାଲାଣ କରିଛି ।