
ଧର୍ମଶାଳା, ୫ଟି ସଚିବ ଭି.କେ ପାଣ୍ଡିଆନ୍ ବିଭିନ୍ନ ଜିଲା ଗ୍ରସ୍ତ କରୁଛନ୍ତି । ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଛାତ୍ରଛାତ୍ରଙ୍କୁ ଭେଟୁଛନ୍ତି । ତାଙ୍କ ଗ୍ରସ୍ତକୁ ନେଇ ସବୁଠି ଚର୍ଚ୍ଚା । ଏବେ ଆଜିଠାରୁ ୫ଟି ସଚିବ ଭିକେ ପାଣ୍ଡିଆନ୍ ଯାଜପୁର ଜିଲା ଗ୍ରସ୍ତରେ ଅଛନ୍ତି । ତେବେ ସେପ୍ଟେମ୍ବର ମାସ ୧ ତାରିଖ ଦିନ ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ବ୍ରହ୍ମବରଦା ହାଜିରହିମିଆଁ ଖେଳ ପଡିଆରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତାଙ୍କ ଗ୍ରସ୍ତର ଆଗମନ ପାଇଁ ପ୍ରସ୍ତୁତି ଜୋର ଧରିଛି । ତେବେ ତାଙ୍କର ଏହି ଗ୍ରସ୍ତ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବା କାର୍ଯ୍ୟକ୍ରମ ରହିଥିବା ବେଳେ ବ୍ରହ୍ମବରଦା ଅଂଚଳର ମୌଳିକ ସମସ୍ୟାକୁ ଗୁରୁତ୍ଵ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।
ଜିଲାର ବ୍ରହ୍ମବରଦା ହେଉଛି କେନ୍ଦ୍ରସ୍ଥଳ ଭାବେ ଜଣାଶୁଣା । ବରୀ ନିର୍ବାଚନ ମଣ୍ଡଳୀରେ ସବୁ କ୍ଷେତ୍ରରେ ବ୍ରହ୍ମବରଦା ଏଗ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି । ଅତିତରେ ବ୍ରହ୍ମବରଦା ଅଂଚଳରେ ୨ ଥର ବିଶ୍ଵ ସ୍ତରୀୟ ମୁସଲିମ ସମ୍ମିଳନୀ ଭାରତ ତଥା ଭାରତ ବାହାରେ ବେଶ୍ ପରିଚିତ ହୋଇପାରିଛି । ବ୍ରହ୍ମବରଦା ଏକ ମୁସଲିମ ବହୁଳ ଅଂଚଳ ହୋଇଥିଲେ ମଧ୍ୟ ଏଠାରେ ହିନ୍ଦୁ ମୁସଲିମ ଭାଇଚାରା ଜିଲାରେ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଛି । ଏଭଳି ସ୍ଥାନରେ ଅନେକ ମୌଳିକ ସମସ୍ୟା ରହିଛି । ଯାହାକି ଏହି ଅଂଚଳର ବିକାଶର ଆବଶ୍ୟକତା ରହିଛି । ହେଲେ କେଉଁଠି ନା କେଉଁଠି ବିକାଶରେ ରୋକ ଲାଗିଛି । ଅନ୍ୟପକ୍ଷରେ ବରୀ ନିର୍ବାଚନ ମଣ୍ଡଳୀ ସବୁବେଳେ ବନ୍ୟା ପ୍ଲାବିତ ଅଂଚଳ ଯାହା ସମସ୍ତଙ୍କୁ ଜଣା । ଏହାର ଚତୃପାର୍ଶ୍ଵରେ ବ୍ରାହ୍ମଣୀ ଓ ଏହାର ଶାଖା ନଦୀ କେଲୁଅ ସମେତ ଖରସ୍ରୋତା, ଓ ବିରୂପା ନଦୀ ମଧ୍ୟରେ ଏହି ଅଂଚଳ ରହିଛି । ଏପରିକି ଏହି ନଦୀମାନଙ୍କରେ ବନ୍ୟା ଜଳ ପ୍ରବାହିତ ହେଲେ ଅନେକ ସମୟରେ ବନ୍ୟା ଜଳରେ ଲୋକେ ପ୍ରଭାବିତ ହୋଇଥାନ୍ତି । ନଦୀ ବନ୍ଧର ସୃଦୃଢିକରଣର ଆବଶ୍ୟକତା ରହିଛି । ଏପରିକି ଅବିଭକ୍ତ ବ୍ରହ୍ମବରଦା, ମହେଶ୍ଵରପୁର ଓ ବନ୍ଧଡିହ ଭଳି ପଂଚାୟତରେ ପ୍ରତି ଦୁଇ ବର୍ଷରେ ଥରେ ନଦୀ ବନ୍ଧ ଭାଙ୍ଗି ବନ୍ୟା ଜଳ ପ୍ରବାହିତ ହୋଇଥାଏ । ଏଥି ସହିତ ବ୍ରହ୍ମବରଦା ଅଂଚଳରେ ବହୁ ପୁରାତନ ସ୍ଵାସ୍ଥ୍ୟକେନ୍ଦ୍ର ରହିଛି । ସ୍ଥାନୀୟ ୨୦ ଗୋଟି ପଂଚାୟତର ହଜାର ହଜାର ରୋଗୀ ଏହି ସ୍ଵାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିଲେ । ହେଲେ ଡାକ୍ତର ଅଭାବରୁ ଏଠାରେ ଫାର୍ମାସିଷ୍ଟ ଡାକ୍ତରଖାନା ଚଳାଉଥିବାରୁ ରୋଗୀ ମାନେ ଏହି ସ୍ଵାସ୍ଥ୍ୟକେନ୍ଦ୍ର ଉପରୁ ମୁହଁ ଫେରାଉଛନ୍ତି । ଜିଲା ସଦର ମହକୁମାକୁ ସଂଯୋଗ କରୁଥିବା ଏହି ବ୍ରହ୍ମବରଦା ଅଂଚଳର ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ନିହାତି ଆବଶ୍ୟକତା ରହିଛି । କୋମଳମତି ଶିଶୁମାନଙ୍କ ପାଇଁ ଦୁଇ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଥାଇ ମଧ୍ୟ ନିଜସ୍ଵ ଗୃହ ନାହିଁ । ସରକାର ଶିକ୍ଷାକୁ ଗୁରୁତ୍ଵ ଦେଉଥିବା ବେଳେ ବ୍ରହ୍ମବରଦାରେ ୬ଟି ବିଦ୍ୟାଳୟ ଓ ୨ଟି ମହାବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷା କର୍ମଚାରୀଙ୍କ ଅଭାବ ରହିଛି । ବର୍ଷା ଋତୁ ସମୟରେ ବର୍ଷା ଜଳ ଗାଁରେ ମାସ ମାସ ଧରି ଜମି ରହୁଛି । ହେଲେ ଡ୍ରେନେଜ ପାଇଁ ସେପରି କିଛି ସୁବିଧା କରାଯାଇ ନାହିଁ । ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ଶହଶହ ଲୋକେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜନସାଧାରଣ ହୋଇଥିବା ବେଳେ ସେମାନେ ବହୁ ଦୂରରେ ଥିବା ସାମନ୍ତରାପୁର ରାଜସ୍ଵ କାର୍ଯ୍ୟାଳୟ ଉପରେ ନିର୍ଭର କରିଥାନ୍ତି । ଏଠାରେଏକ ରାଜସ୍ଵ କାର୍ଯ୍ୟାଳୟ ପାଇଁ ପ୍ରସ୍ତାବ ରହିଛି ହେଲେ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଦାବି ହୋଇଛି ।
ଅନ୍ୟପକ୍ଷରେ ରାଉତରାପୁର ପଂଚାୟତରେ ୨ଟି ମୁଖ୍ୟ ସମସ୍ୟା ରହିଥିବା ବେଳେ ବ୍ରାହ୍ମଣୀ ନଦୀ ଉପରେ ଏକ ଘେରି ବନ୍ଧ ସହ ଶିକ୍ଷାର ବିକାଶ ପାଇଁ ଏକ ଲାଇବ୍ରେରୀର ଆବଶ୍ୟକତା ରହିଛି । ତେବେ ଏହି ବ୍ରହ୍ମବରଦା ଅଂଚଳର ମୌଳିକ ସମସ୍ୟାର ସମାଧାନ ହୋଇପାରିଲେ ଏହା ଜିଲାର ଏକ ଅଗ୍ରଣୀ ସ୍ଥାନ ଭାବେ ପରିଚୟ ପାଇପାରିବ । ଏହି ସମସ୍ତ ସମସ୍ୟାକୁ ଗୁରୁତ୍ଵ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।