 
                
ଖୋର୍ଦ୍ଧା- ପୂର୍ବ ଶତୃତାକୁ କେନ୍ଦ୍ର କରି ଖୋର୍ଦ୍ଧା କାଇପଦରରେ ଗାଁ ଦାଣ୍ଡରେ ଯୁବକଙ୍କୁ ଗଛରେ ବାନ୍ଧି ଦୁଇ ଜଣ ଯୁବକ ଠେଙ୍ଗା ବହ୍ଲା ଓ କାଠ ଫାଳିଆରେ ନିସ୍ତୁକ ପିଟୁଥିବା ଏବଂ ଜୀବନ ବଂଚାଇବାକୁ ସେ ପାଣି ମାଗୁଥିବା ବେଳେ ଜଣେ ତାଙ୍କ ମୁହଁରେ ପରିସ୍ରା କରିବାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଦର ଥାନା ପୋଲିସ  । ଘଟଣାରେ ଜଣେ ଅଭିଯୁକ୍ତ ରାଜେନ୍ଦ୍ର ଭୂୟାଁକୁ ଗିରଫ କରାଯାଇଛି  । ଅନ୍ୟତମ ଅଭିଯୁକ୍ତ କନ୍ତିଆ ପାଲଟାସିଂ ଫେରାର୍ ରହିଛି  । ତାକୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ  । ଏଭଳି ଅମାନବୀୟ ଘଟଣା ଘଟାଉଥିବା ଅସାମାଜିକଙ୍କ ବିରୋଧରେ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି  ।
ସୂଚନା ଅନୁଯାୟୀ, ପୂର୍ବ ଶତୃତାକୁ କେନ୍ଦ୍ର କରି ଗତ ୧୮ ତାରିଖରେ ବଙ୍ଗିଦା ଗ୍ରାମର ଏହି ଯୁବକଙ୍କୁ କାଇପଦର ଉଠାଇ ନେଇଥିଲେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ  । ସେଠାରେ ଗାଁ ଦାଣ୍ଡରେ ତାଙ୍କୁ ଏକ ନଡ଼ିଆ ଗଛରେ ବାନ୍ଧି ଠେଙ୍ଗା, ବହ୍ଲା ଓ କାଠ ଫାଳିଆ ସାହାଯ୍ୟରେ ନିସ୍ତୁକ ପିଟିଥିଲେ  । ଏପରିକି ଯୁବକ ଜଣକ ଜୀବନ ବିକଳରେ ପାଣି ମାଗୁଥିବାବେଳେ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ତାଙ୍କ ମୁହଁରେ ପରିସ୍ରା କରୁଥିବାର ଅମାନବୀୟ ଘଟଣା ସାମ୍ନାକୁ ଆସିଥିଲା  । ଘଟଣା ଦିନ ସେହି ବାଟ ଦେଇ ଯାଉଥିବା ଗାଁ ଲୋକେ ସବୁ କିଛି ଦେଖି ସୁଦ୍ଧା ଆଖି ବୁଜି ଦେବା ସମସ୍ତଙ୍କୁ ଚକିତ କରିଛି  ।
                            
                        
	                    
 
                    







