କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଏକ ନୂତନ ସଂଗଠନ ସ୍ଥାପନା ହୋଇଛି, ଯାହା ”କନ୍ଧମାଳ ଛାତ୍ର, ଯୁବ ପରିଷଦ”ନାଁ ରେ ନାମିତ । ଏହି ସଂଗଠନ କନ୍ଧମାଳ ଜିଲ୍ଲାର ଛାତ୍ର, ଯୁବକ ମାନଙ୍କ ସ୍ଵାର୍ଥରକ୍ଷା ସହିତ କନ୍ଧମାଳ ଜିଲ୍ଲାର ଉନ୍ନତି ଦିଗରେ କାର୍ଯ୍ୟ କରିବ। କନ୍ଧମାଳ ଛାତ୍ର, ଯୁବ ପରିଷଦର ସଭାପତି ଭାବେ ଯୁବ ନେତା ଶିବାଶିଷ ପଣ୍ଡା ଦାୟିତ୍ଵ ନେବା ସହିତ ଆଗାମୀ ଦିନରେ ଏ ସଂଗଠନ ଜିଲ୍ଲାର ଛାତ୍ର, ଯୁବକ ମାନଙ୍କ ପାଇଁ କାମ କରିବ ବୋଲି କହିଛନ୍ତି। ପ୍ରାଥମିକତା ଦୃଷ୍ଟିରେ ଚକାପାଦ ଥାନା ଅଞ୍ଚଳର ଜଣେ ୧୩ ବାର୍ଷିୟା ଛାତ୍ରୀ ଅପହରଣ ଘଟଣାରେ ଚକାପାଦ ପୋଲିସ ର ନିଷ୍କ୍ରିୟତା ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆଗାମୀ ସାତ ଦିନ ଭିତରେ ଯଦି କନ୍ଧମାଳ ଜିଲ୍ଲା ପୋଲିସ ନ୍ୟାୟ ନଦିଏ ତେବେ ସଂଗଠନ ତରଫରୁ ଚକାପାଦ ଥାନା ଘେରାଉ କରିବା କରିବା ପାଇଁ ନିଷ୍ପତ୍ତି ନେଇଛି। ଏବଂ ଫୁଲବାଣୀ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଆଗାମୀ ଏକ ମାସ ଭିତରେ ଯଦି ପାନୀୟ ଜଳ ସମସ୍ୟାର ସମାଧାନ ନହୁଏ ତେବେ ଏ ସଂଗଠନ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଆଜି ଏ ସଂଗଠନର ନୂତନ ଦାୟୀତ୍ଵ ମଧ୍ୟ ପ୍ରଦାନ କରାଯାଇଛି। ତଦନୁଯାୟୀ, ଉପ ସଭାପତି ଭାବେ, ଅମର ଜ୍ୟୋତି ରାଏ, ସାଧାରଣ ସମ୍ପାଦକ ଭାବେ ଦିବ୍ୟାରଞ୍ଜନ ପାରାସେଠ, ସମ୍ପାଦକ ଭାବେ ଦିନେଶ ପାତ୍ର, ସୌମ୍ୟସିଦ୍ଧାର୍ଥ ଦେହୁରୀ, ଗୋପାଳ ଷଢଙ୍ଗୀ, କୋଷାଧ୍ୟକ୍ଷ ଭାବେ -ସିତୁନା ମହାନ୍ତି, ସୋସିଆଲ ମିଡିଆ ସମ୍ପାଦକ ଭାବେ ରାଜବୀର ମାଝୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ଆଶୁତୋଷ ଦାସ ଓ ଦୀନେଶ ମୁଲି, ହିମାଂଶୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହା ସହିତ ସଂଗଠନ ତରଫରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ କିଛି ଦାବୀ ରଖାଯାଇଛି। କନ୍ଧମାଳ ଜିଲ୍ଲାରେ ଏକ ସରକାରୀ ଆଇନ ମହାବିଦ୍ୟାଳୟ ଖୋଲିବା, କନ୍ଧମାଳ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ପୂରଣ କରିବା। ପ୍ରତ୍ୟେକ ବ୍ଲକ ରେ ଏମପ୍ଲୟମେଣ୍ଟ ଅଫିସ ଖୋଲିବା, ଜିଲ୍ଲାରେ ଥିବା ଆଶ୍ରମ ବିଦ୍ୟାଳୟରେ ହେଉଥିବା ଅବ୍ୟବସ୍ଥା ବିଶେଷ ଭାବେ ଝିଅ ମାନଙ୍କ ପ୍ରତି ହେଉଥିବା ବ୍ୟାଭିଚାର ବନ୍ଦ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ।ଜିଲ୍ଲାରେ ବାହାରୁଥିବା ସରକାରୀ ପଦବୀରେ ପ୍ରଥମେ ଜିଲ୍ଲାର ଯୁବକ, ଯୁବତୀ ମାନଙ୍କୁ ଅଗ୍ରାଧିକାର ଦିଆଯାଉ। ସକ୍ଷୀ, ଓ୍ବାନ୍ ଷ୍ଟେପ କେନ୍ଦ୍ର ଗୁଡିକରେ ଅଭିଜ୍ଞ ମହିଳା ଡାକ୍ତର ମାନଙ୍କୁ ନିଯୁକ୍ତି ଦିଆଯାଉ। ଜିଲ୍ଲାର ମୁଖ୍ୟ ସହର ଗୁଡିକରେ ଅଚଳ ଥିବା ସିସିଟିଭି ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ସହିତ ପ୍ରମୁଖ ସ୍ଥାନ ମାନଙ୍କରେ ସିସିଟିଭି ଲଗାଯାଉ। ଜିଲ୍ଲାର ପ୍ରମୁଖ ସହର ମାନଙ୍କରେ ଥିବା ଅସାମାଜିକ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବା ସମୟରେ ପୋଲିସ ପେଟ୍ରୋଲିଙ୍ଗକୁ କଡ଼ାକଡ଼ି କରାଯାଉ। ଜିଲ୍ଲାର ପର୍ଯଟନ ସ୍ଥଳୀ ଗୁଡିକର ଉନ୍ନତି ଶୀତ ଦିନ ପୂର୍ବରୁ ତୁରନ୍ତ ସାରିବା ଆଦି ଦାବୀ ଗୁଡିକ ରଖାଯାଇଛି।