
-
ଧରାପଡ଼ିଲେ ୯ ଜଣ ମଦ୍ୟପ ଚାଳକ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଞ୍ଚଳିକ ପରିବହନ ବିଭାଗ, ପୁରୀ ପକ୍ଷରୁ ମୋଟରଯାନ ସଂଶୋଧିତ ଆଇନ ଉଲ୍ଲଙ୍ଘନ କରୁଥିବା ଚାଳକଙ୍କ ଉପରେ ଚଢ଼ଉ ଅଭିଯାନ ଜାରି ରହିଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ପି ଡା. କନୱର ବିଶାଲ ସିଂଙ୍କ ତତ୍ତ୍ୱାବଧାନରେ ଆର୍ଟିଓ(ଆଞ୍ଚଳିକ ପରିବହନ ଅଧିକାରୀ) ରବିନ୍ ପଟ୍ଟନାୟକ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଚଢ଼ଉ କରୁଛନ୍ତି ।
ଆର୍ଟିଓ ଶ୍ରୀ ପଟ୍ଟନାୟକ ଓ ବାସେଳିସାହି ଥାନା ପୁଲିସ ମିଳିତ ଭାବେ ମଙ୍ଗଳାଘାଟ ଛକରେ ଯାନବାହନ ଯାଞ୍ଚ କରିଥିଲେ । ଏହି ସମୟରେ ଜରିମାନା ବାବଦକୁ ସମୁଦାୟ ୮୯ଜଣ ଚାଳକଙ୍କ ଗାଡ଼ି ନମ୍ବରରେ ଚାଲାଣ କଟିଥିଲା । ସମୁଦାୟ ୬ଲକ୍ଷ ୬ହଜାର ୯୦୨ଟଙ୍କା ଜରିମାନା ହୋଇଥିବାବେଳେ ନଗଦ ୧ଲକ୍ଷ ୨୯ହଜାର ୭୩୫ଟଙ୍କା ଆଦାୟ ହୋଇଛି । ଏହି ଧରପଗଡ଼ରେ ୯ଜଣ ମଦୁଆ ଧରାପଡ଼ିଥିବାବେଳେ ଜଣେ ନାବାଳକ ବାଇକ୍ ଚଳାଇ ଧରାପଡ଼ିଥିଲେ । ଚଢ଼ଉ ବେଳେ ଆର୍ଟିଓଙ୍କ ସମେତ ଏମ୍ଭିଆଇ ରାଜେଶ କୁମାର ମହାପାତ୍ର, ଆସିଷ୍ଟାଣ୍ଟ୍ ଏମ୍ଭିଆଇ ଅମିତ କୁମାର ରଣା ଓ ଟ୍ରାଫିକ ଇନ୍ସିପେକ୍ଟର ସୁସାନ୍ତ କୁମାର ପାତ୍ର, ବାସେଳିସାହି ଥାନାଧିକାରୀ ମାନସ ରଞ୍ଜନ ବାରିକ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଚଢ଼ଉ ଜୋରଦାର୍ କରାଯିବ । ତେଣୁ ଟ୍ରାଫିକ ନିୟମ ମାନି ଯାନବାହନ ଚଳାଇବାକୁ ଆର୍ଟିଓ ଅନୁରୋଧ କରିଛନ୍ତି ।