
ସେପ୍ଟେମ୍ବର ୯ ତାରିଖରେ ପୁରୀଠାରେ ଆୟୋଜିତ ହେଉଥିବା କୃଷକ ବିଜୟ ସମାବେଶ ନିମନ୍ତେ ଅଭିନବ ଉପାୟରେ ରକ୍ଷାବନ୍ଧନ ମହିଳା ସଂଗଠିକମାନେ ଉତ୍ସବ ପାଳନ କରିଛନ୍ତି। ସୋମବାର ପୂର୍ବାହ୍ନରେ ଶ୍ରୀମତୀ ସସ୍ମିତା ବେହେରାଙ୍କ ପରିଚାଳନାରେ ପ୍ରତିନିଧିମାନେ ଭୁବନେଶ୍ବର ଆଇନଜୀବୀ ସଂଘ କାର୍ଯ୍ୟାଳୟକୁ ଯାଇ ସଭାପତି ଶ୍ରୀ ଧନେଶ୍ବର ମହାନ୍ତିଙ୍କ ସମେତ ବହୁ ଆଇନଜୀବୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ।ସମ୍ବାଦର ସମ୍ପାଦକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ସମାଜର ବାର୍ତ୍ତା ସମ୍ପାଦକ ଶ୍ରୀ ପ୍ରସନ୍ନ ପତି, ବରିଷ୍ଠ ସ୍ତମ୍ଭକାର ଶ୍ରୀ ରାଜେଶ ନାୟକ, ନିର୍ଭୟର ସମ୍ପାଦକ ଶ୍ରୀ ନବୀନ ଦାସ ପ୍ରମୁଖଙ୍କ ବାସଭବନ ଓ କାର୍ଯ୍ୟାଳୟ ଯାଇ ସେମାନଙ୍କ ହାତରେ ରାକ୍ଷୀ ପିନ୍ଧାଇବା ସହିତ ମିଠା ଖୁଆଇଥିଲେ । ରାକ୍ଷୀ ପୂର୍ଣ୍ଣିମା ହେଉଛି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବଡ଼ଭାଇ ଶ୍ରୀ ବଳଭଦ୍ରଙ୍କର ଜନ୍ମଦିନ ଏବଂ ଏହି ଦିନ ବଳଦମାନଙ୍କୁ ପୂଜା କରାଯାଇଥାଏ । ରାକ୍ଷୀପୂର୍ଣ୍ଣିମାକୁ କୃଷିର ଅନ୍ୟତମ ପର୍ବ ଭାବେ ପାଳନ କରାଯାଏ । ସେ ଦୃଷ୍ଟିରୁ କୃଷି ଜମି, କୃଷି ଓ କୃଷକଙ୍କୁ ରକ୍ଷା କରିବା ପାଇଁ ଭଉଣୀମାନେ ଆଜି ସାଧାରଣ ଲୋକଙ୍କର ସମର୍ଥନ ଲୋଡୁଛନ୍ତି ବୋଲି ଶ୍ରୀମତୀ ବେହେରା ପ୍ରକାଶ କରିଛନ୍ତି । କେବଳ ଭଉଣୀମାନଙ୍କର ବା ଝିଅମାନଙ୍କର ସୁରକ୍ଷା ନୁହେଁ ଆଜି ମାଟି ମାଆର ସୁରକ୍ଷା ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନ୍ଜୀବୀ ସୁଶ୍ରୀ ଆରତୀ ପଟ୍ଟନାୟକ, ଜ୍ୟୋତି ପଣ୍ଡା, ଭାଗ୍ୟଲକ୍ଷ୍ମୀ ରାଉତରାୟ, ଅଳକା ମହାପାତ୍ର, ସ୍ମିତା ସାମଲ, ଶ୍ରୀ ମନୋଜ ନାୟକ, ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ୍ ଥିଲେ ।