
ଜୟପୁର, ଆଜି ଶ୍ରାବଣ ମାସ ଶେଷ ସୋମବାରରେ ବୋଲ ବମ୍, ହରହର ବମ୍ ଧ୍ଵନିରେ କମ୍ପୁଛି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ଵର ପୀଠ । କାନ୍ଧରେ କାଉଡ଼ି, ଦେହରେ ଗେରୁଆ ବସ୍ତ୍ର ପରିଧାନ କରି ତୁଣ୍ଡରେ ହର ହର ମହାଦେବ ନାମ ନେଇ ଗୁପ୍ତେଶ୍ଵର ପୀଠକୁ ଛୁଟି ଆସିଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ କାଉଡିଆ ଭକ୍ତ । ମହାଦେବଙ୍କୁ ଜଳଲାଗି କରିବା ସହ ପୂଜାର୍ଚ୍ଚନା ଓ ଦର୍ଶନ କରିଛନ୍ତି ।
ଭିଡ଼କୁ ଦୃଷ୍ଟିରେ ରଖି ଗତ ରାତି ୧୨ଟାରୁ ପହଡ ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବା ପରେ ରାତି ୨ଟାରୁ ଭକ୍ତଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କାଉଡିଆ ଓ ଭକ୍ତଙ୍କ ପାଇଁ ଧାଡି ବ୍ୟବସ୍ଥା କରାଯାଇଛି । ମହାଦେବଙ୍କୁ ଜଳଲାଗି କରି ନିଜ ମନସ୍କାମନା ପୂର୍ଣ୍ଣ କରିବେ, ଏହି ଲକ୍ଷ୍ୟରେ ଗୁପ୍ତେଶ୍ଵର ପୀଠକୁ ଆଗେଇ ଚାଲିଛନ୍ତି ବୋଲବମ୍ ଭକ୍ତଗଣ । ସେପଟେ କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ସହ ଦର୍ଶନ ସୁରୁଖୁରୁରେ କରିବା ପାଇଁ ପୋଲିସ ଓ ଦେବୋତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।