ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ କାର୍ଯ୍ୟାଳୟକୁ ଗତକାଲି କାଲିମେଳା ବିଜେପି ମଣ୍ଡଳ ପକ୍ଷରୁ ବିଭିନ୍ନ ଦାବି ନେଇ ଘେରାଉ କରାଯାଇଛି। ରାଜ୍ଯପାଳଙ୍କ ଉଦ୍ଦେଶ୍ୟରେ ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କାଲିମେଳା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀଙ୍କ ନେତୃତରେ ଶତାଧିକ ବିଜେପି ନେତା, କର୍ମୀ ଓ ଜନସାଧାରଣ ଏକାଠି ହୋଇ ପଞ୍ଚାୟତରେ ଅନିୟମିତତା ଚାଲିଥିବା ନେଇ ଅଭିଯୋଗ କରିବା ସହ ଏଠାରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ନିୟମିତ ଭାବେ ଆସୁ ନ ଥିବା ଅଭିଯୋଗ ହୋଇଛି। ଦିନ ୧୧ଟା ପାର ହେଲେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲି ଥିବା ସହ ବନ୍ଦ ରହିଛି ପଞ୍ଚାୟତ କାର୍ଯ୍ୟାଳୟ ର ମୁଖ୍ୟ ଗେଟ। ପଞ୍ଚାୟତରେ ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ ଓ ଅନନ୍ୟା ସରକାରୀ ବାବୁ ନିୟମିତ ଆସୁନଥିବାରୁ ପଞ୍ଚାୟତକୁ ଆସୁଥିବା ଲୋକମାନେ ନିଜ କାମ ନ ପାଇ ଫେରି ଯାଉଥିବା ବିଜେପି କର୍ମୀ ମାନେ ଅଭିଯୋଗ ଆଣିଛନ୍ତି। ଏ ନେଇ କର୍ମୀ ମାନେ କୋଇମେଟଲା ଛକ ସ୍କୁଲ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ରାଜ୍ଯପାଳଙ୍କ ଉଦ୍ଦେଶ୍ୟରେ ସରପଞ୍ଚ ମୁନା ପଡିଆମିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବି ମଧ୍ୟରେ କେନ୍ଦ୍ର ସରକାର ଯୋଗାଉଥିବା ଚାଉଳକୁ ମାଗଣା କରିବା, ଏକ ରାଷ୍ଟ୍ର ଏକ ରାସନ୍ କାର୍ଡ ଯୋଜନା କାର୍ଯ୍ୟକାରୀ କରାଇବା, ବଞ୍ଚିତ ହିତାଧିକାରୀଙ୍କୁ ସାମିଲ କରାଇବା, କିରୋସିନ୍ ସାମଗ୍ରୀକୁ ଠିକ୍ ଭାବରେ ବଣ୍ଟନ ବ୍ୟବସ୍ଥା କରାଇବା ଆଦି ଉପରେ ଦାବି କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଗଙ୍ଗାଧର ସୋଡ଼ୀ, ପଞ୍ଚାୟତ ସଭାପତି ରମେଶ ମଣ୍ଡଳ, ପୂର୍ବତନ ସରପଞ୍ଚ ବଜା ମାଡକାମି, ମଣ୍ଡଳ ସମ୍ପାଦକ ଶ୍ୟାମଳ ଭୌମିକ, ଅମଲ ମଣ୍ଡଳ ବୁଥ ସଭାପତି ଦୀପଙ୍କର ମଣ୍ଡଳ ପ୍ରମୁଖ ସାମିଲ ହୋଇଥିଲେ। ବିଜେପିର ପ୍ରତିବାଦକୁ ଦୃଷ୍ଟିରେ ରଖି କାଲିମେଳା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।