ଭୁବନେଶ୍ୱର,ଜେଡି ବିଧାୟକ ତଥା ସମ୍ବାଦ ଖବର କାଗଜର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ ପୁଣି ଥରେ ଲେଖା ଲେଖି 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ।
ସେ ନିଜ ଖବରକାଗଜରେ ‘ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା’ ଶୀର୍ଷକରେ ସେ ଲେଖା ଲେଖି ବିଭିନ୍ନ ଜିଲ୍ଲାକୁ ୫-ଟି ସଚିବଙ୍କ ଘନ ଘନ ଗସ୍ତକୁ ନେଇ କଟାକ୍ଷ କରିଛନ୍ତି । 5-ଟି ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି।
ଇସ୍ରୋ ସଂସ୍ଥା ଚନ୍ଦ୍ରୟାନ-୩ ମିଶନ ପାଇଁ ୬ ଶହ କୋଟି ଖର୍ଚ୍ଚ କରିଥିବା ବେଳେ ଆମ 5ଟି ସଚିବ ୩୦ଟି ଜିଲ୍ଲାର ଓଡ଼ିଶା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ସଚିବ ୟଶପାଲ କାପୁର ପ୍ରଚାର କାର୍ଯ୍ୟରେ ସହାୟତା କରି ତାଙ୍କ ସପକ୍ଷରେ ନିର୍ବାଚନୀ ଭାଷଣ ଦେଇଥିବାରୁ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ।ପାଣ୍ଡିଆନଙ୍କ କେତେକ ଆଚରଣ ୟଶପାଲଙ୍କଠାରୁ କୌଣସି ଗୁଣରେ କମ ନୁହେଁ ବୋଲି ସେ ଏହି ଲେଖାରେ ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଏସବୁ ସଭା ରାଜନୈତିକ ଦଳମାନଙ୍କର ଏକ ସଭାପରି ମନେ ହେଉଛି,ଏସବୁ ସଭାରେ ଲୋକ ପ୍ରତିନିଧି ଓ ରାଜନେତାମାନଙ୍କର ସଂପୃକ୍ତି ଥିଲେ ମଧ୍ୟ ସେମାନେ ମଞ୍ଚରେ ଦୃଶ୍ୟମାନ ହେଉନାହାନ୍ତି । ମଞ୍ଚରେ କେବଳ ୫-ଟି ସଚିବଙ୍କୁ ଦେଖିବାକୁ ମିଳୁଛି।ଏହା ଭିନ୍ନ ଏକ ମାନସିକତାର ପରଚୟ ଦେଉଛି । ଏସବୁ ସଭାଗୁଡ଼ିକ କେବଳ ୫-ଟି ସଚିବଙ୍କ ଭାବମୂର୍ତ୍ତି ନିର୍ମାଣ ପାଇଁ ଉର୍ଦ୍ଦିଷ୍ଟ ଥିଲା ପରି ମନେହେଉଛି ।
ସେହିପରି ଗତକାଲି ଗଞ୍ଜାମରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଯେଉଁ ଘଟଣାଟି ଘଟିଲା ତାହା ଆମ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି ।