-
ମାନସ ରଞ୍ଜନ ସାମଲ ପାଇଲେ ଶିଶୁ ସାହିତ୍ୟ ସମ୍ମାନ ,କବି ରକ୍ଷକ ନାୟକଙ୍କୁ ସାହିତ୍ୟ ସମ୍ମାନ
ଭୁବନେଶ୍ୱର, -ସ୍ଥାନୀୟ ଜୟଦେବ ଭବନଠାରେ ରବିବାର ସପ୍ତକ ଫାଉଣ୍ଡେସନ୍ ର ସାରସ୍ୱତ ସମାରୋହ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି, ପ୍ରଶାସକ ତଥା ସାହିତ୍ୟିକ ନିରଞ୍ଜନ ସାହୁ, ଅଧ୍ୟାପକ ତଥା ବିଶିଷ୍ଟ ଶିଶୁ ସାହିତିି୍ୟକ ସୁନାମଣି ରାଉତ ଏବଂ କୃତୀ ଶିକ୍ଷକ ତଥା ଶିଶୁ ସାହିତ୍ୟିକ ଦେବରାଜ ସାମନ୍ତରାୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବହିର ବିକଳ୍ପ ନାହିଁ । ପୁସ୍ତକ ପଠନ ଦ୍ୱାରା ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରି ନିଜକୁ ବିକଶିତ କରିପାରିବେ ଓ ସଫଳ ହୋଇପାରିବେ । ପଠନ ଅଭ୍ୟାସ ଛାତ୍ରଛାତ୍ରୀମାନଙ୍କୁ ଉତ୍କର୍ଷର ଶୀର୍ଷରେ ପହଂଚାଇପାରିବ । ଏହି ଉତ୍ସବରେ ପ୍ରାରମ୍ଭିକ ସୂଚନା କାରୁବାକି ସାମନ୍ତରାୟ, ସ୍ୱାଗତ ଭାଷଣ ସୁରେଶ ଚନ୍ଦ୍ର ମହାପାତ୍ର ଓ ବାର୍ଷିକ ବିବରଣୀ ଡ. ଜ୍ୟୋତିର୍ମତୀ ସାମନ୍ତରାୟ ପ୍ରଦାନ କରିଥିଲେ ।
ବିଶିଷ୍ଟ ଶିଶୁ ସାହିତ୍ୟିକ ଦେବରାଜ ସାମନ୍ତରାୟଙ୍କର ୮୫ତମ ଜୟନ୍ତୀ ଅବସରରେ ଆୟୋଜିତ ଏହି ସମାରୋହରେ ସପ୍ତକ ଶିଶୁ ସାହିତ୍ୟ ସମ୍ମାନ ମାସନ ରଞ୍ଜନ ସାମଲ, ସପ୍ତକ ସାହିତ୍ୟ ସମ୍ମାନ ରକ୍ଷକ ନାୟକ, ସପ୍ତକ ସେବା ସମ୍ମାନ ଡ. ମନୋଜ କୁମାର ଛୋଟରାୟ, କୀର୍ତିମତୀ ସେବା ସମ୍ମାନ ତାରିଣୀସେନ ସାହୁ, ଶିକ୍ଷକ-ଶିକ୍ଷା ସମ୍ମାନ ଶ୍ରୀମତୀ କବିତା କାନୁନଗୋ, ସପ୍ତକ ସମାଜସେବା ସମ୍ମାନ ରଣଜିତ ମହାନ୍ତି, ସପ୍ତକ ସ୍ୱେଚ୍ଛାସେବୀ ସମ୍ମାନ ଶ୍ୱେତକୁମାର ପଲାଇଙ୍କୁ ପ୍ରଦାନ କରାଯାଇଥିଲା । ହେମନ୍ତ କୁମାର ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ସରୋଜ ବଦନ ପରିଡ଼ାଙ୍କ ନିର୍ଦ୍ଦେଶନାରେ ସଂଗୀତ ସହିତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶ୍ୱେତଲୀନା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।