
ଭୁବନେଶ୍ୱର,କଳ୍ପନାଶକ୍ତି ଓ ଚରିତ୍ରାୟନର ଉପଯୁକ୍ତ ବ୍ୟବହାର ବଳରେ ସାର୍ଥକ ଗଳ୍ପ ସୃଷ୍ଟି ହୋଇପାରେ । ଚରିତ୍ରକୁ ସଠିକ୍ ଭାବେ ବୁଝାଇ ପାରିଲେ ହିଁ ଗଳ୍ପ ଜୀବନ୍ତ ହୁଏ ବୋଲି ବିଶିଷ୍ଟ କଥାକାର ରମେଶ ପଟ୍ଟନାୟକ ମତ ଦେଇଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଜୀବନଧାରା, ଚରିତ୍ରାୟନ ଓ ଦୃଶ୍ୟବୋଧ ସଫଳ ଗଳ୍ପ ସୃଷ୍ଟିରେ ସାହାଯ୍ୟ କରେ ।
ଅଧ୍ୟାପକ ଡ. ପ୍ରଦୀପ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଓ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ‘ମୋ ସୃଜନ: ମୋ ଜୀବନ’ ଶୀର୍ଷକ ବକ୍ତବ୍ୟ ରଖି ଶ୍ରୀ ପଟ୍ଟନାୟକ ତାଙ୍କ କଥାଯାତ୍ରା, କୃତ୍ରିମ ବୁଦ୍ଧିମଲା, ଡିଜିଟାଲ୍ ପ୍ରସାରଣ, ପ୍ରିଂଟ ମିଡିଆରେ ଗଳ୍ପକାରିତା, ଗଳ୍ପର ପାଠକୀୟ ସଂପୃକ୍ତି ଇତ୍ୟାଦି ପ୍ରସଙ୍ଗରେ ବିସ୍ତୃତ ଆଲୋକପାତ କରିଥିଲେ ।
ପରବର୍ତୀ ପର୍ଯ୍ୟାୟରେ ଡ. ଅଭୟ ନାରାୟଣ ନାୟକ ଓ ବିଜନବାଳା ପାଟ୍ଟଯୋଶୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଇତିଶ୍ରୀ ପତି, ପୀତାମ୍ବର ଭୋଇ, ମିହିରକାନ୍ତି ଦାଶ, ଦେବଯାନୀ ରାୟ, ଶଶୀପ୍ରଭା ଦାସ, ରମେଶ ପ୍ରସାଦ ମହାନ୍ତି, ରଶ୍ମି ଦାସ, ସୁକୁମାର ବିଶ୍ୱାଳ, ମିହିର ରଥଶର୍ମା, ବାଦଲ ମହାନ୍ତି, ବିପିନ ବେହେରା, ସ୍ନେହଲତା ଦାସଲେଙ୍କା, ମିନତୀ ମିଶ୍ର, ଇନ୍ଦିରା ମିଶ୍ର, ପ୍ରଦୀପ ମହାନ୍ତି ଓ ମନମୋହନ ମିଶ୍ର ପ୍ରମୁଖ ସ୍ୱରଚିତ ଲେଖା ପାଠ କରିଥିଲେ । ଡାକ୍ତର ଜୀବନକୃଷ୍ଣ ମହାପାତ୍ର ବେଦପାଠ କରିଥିବାବେଳେ ଅନୁଷ୍ଠାନର ଉପସଭାପତି ରକ୍ଷକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।