ଭୁବନେଶ୍ୱର, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଯେଭଳି ଭାବେ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀ ମାନେ ଅଟକାଇ ଥିଲେ ଓ ତାଙ୍କ ସହ ଯେଭଳି ବ୍ୟବହାର କରାଗଲା ତାକୁ ନାପସନ୍ଦ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।
ଗଞ୍ଜାମ ହାଇଡ୍ରାମା ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଗତ କାଲି ଯାହା ଘଟିଲା ତାହା ବିଜୁ ଜନତା ଦଳର ଅନ୍ତଃକନ୍ଦଳ ହୋଇପାରେ । କିନ୍ତୁ ଯାହାଙ୍କ ପ୍ରତି ଏଭଳି ଆଚରଣ କରାଗଲା ସେ ଜନପ୍ରତିନିଧି ।
ସେ କହିଛନ୍ତି, ବିଜେଡିରେ ଜନପ୍ରତିନିଧିଙ୍କର କୌଣସି ସମ୍ମାନ ନାହିଁ । ବିଜୁ ଜନତା ଦଳର ନେତାଙ୍କ ପାଖରେ ୨ଟି ବିକଳ୍ପ ରହିଛି । ପ୍ରଥମଟି କ୍ରୀତଦାସ ହୁଅ ନହେଲେ ଜେଲ୍ରେ ରୁହ ।
ଉଲ୍ଲେଖନୀୟ ଯେ ବ୍ରହ୍ମପୁର ରାସ୍ତାରେ ଶୁକ୍ରବାର ସକାଳେ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ ଅଟକାଇଥିଲେ ବିଜେଡି କର୍ମକର୍ତା । ବିଧାୟକଙ୍କ ଗାଡି ଉପରେ ଚଢି ତାଙ୍କୁ ଆକ୍ରମଣ ପାଇଁ ଉଦ୍ୟମ ହୋଇଥିଲା । ଫଳରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ପୋଲିସ୍ ଉପସ୍ଥିତିରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଠେଙ୍ଗାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଖାଲି ସେତିକି ନୁହେଁ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡା ସହ ପଥର ଓ ପାଣି ବୋତଲ ମାଡ଼ କରାଯାଇଥିଲା । ଲାଞ୍ଜିପଲ୍ଲୀ ଛକ ରଣକ୍ଷେତ୍ରରେ ପରିଣତ ହୋଇଥିଲା ।