ଭୁବନେଶ୍ୱର, ରାଷ୍ଟ୍ରୀୟ ସେବା ଭାରତୀ ଆନୁକୂଲ୍ୟରେ ୨ ଦିନିଆ “ଆପଦା ପ୍ରବନ୍ଧନ ପ୍ରଶିକ୍ଷଣ ଶିବିର” ମେଂଚଶ୍ୱର ସ୍ଥିତ ସେବା ପରିସର ମଧ୍ୟରେ ଉଦଘାଟିତ ହୋଇଯାଇଛି । ଉତ୍କଳ ବିପନ୍ନ ସହାୟତା ସମିତିର ସଭାପତିଅକ୍ଷୟ କୁମାର ବିଟ୍ଟଙ୍କ ଅଧ୍ୟକ୍ଷତାରେ ଶିବିରଟି ଉଦଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ପ୍ରାକୃତିକ ବିପର୍ଯ୍ୟୟ ଓ ଆକସ୍ମିକ ଦୁର୍ଘଟଣାରେ କିପରି ଧନ ଜୀବନ ରକ୍ଷା କରିବା ସହିତ ତୁରନ୍ତ ଏବଂ ଉପଯୁକ୍ତ ସେବା ଯୋଗାଇ ଦିଆ ଯାଇପାରିବ ସେଥିପାଇଁ ଏନ.ଡି.ଆର.ଏଫ, ରେଡକ୍ରସ ଓ ଅଗ୍ନିସମ ବିଭାଗ, ଓଡିଶା ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ପ୍ରଶିକ୍ଷଣ ଶିବିରରେ ୬ ଗୋଟି ରାଜ୍ୟ ଯଥା ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ଆସାମ ଓ ବିହାର (୧୩ ଟି ପ୍ରାନ୍ତର) ସ୍ୱୟଂସେବକମାନେ ଭାଗ ନେଇଛନ୍ତି ।
ରାଷ୍ଟ୍ରୀୟ ସେବା ଭାରତୀର ସଂଗଠନ ସଚିବ ସୁଧିର କୁମାର ଉଦବୋଧନ ଦେଇ କହିଥିଲେ ଯେ, ଆପଦା ସମୟରେ ସ୍ୱୟଂସେବକ ମାନଙ୍କର ଦକ୍ଷତାରେ ବିକାଶ ସାମ୍ପ୍ରତିକ ପରିସ୍ଥିତିରେ ଜରୁରୀ ହୋଇ ପଡିଛି । ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ନେଇ କେମିତି ସୁଚାରୁରୂପେ ଆପଦା ସମୟରେ ଧନ, ଜନ ଓ ଜୀବନର ସୁରକ୍ଷା ହୋଇ ପାରିବ ତା ଉପରେ ଗୁରୁତ୍ୱ ଦେଇଥିଲେ । ଏନ. ଡି. ଆର. ଏଫ. ର ଡେପୁଟି କମାଣ୍ଡାଂଟ ଧନଞ୍ଜନୟ ଆପଦା ପୂର୍ବରୁ, ଆପଦା ସମୟରେ ଓ ଆପଦା ପରେ କିଭଳି ବିପନ୍ନ ଲୋକମାନଙ୍କୁ ସଜାଗ କରିବା ସଙ୍ଗେ ସଙ୍ଗେ ତାହାର ବିକଶିତ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗ ମାଧ୍ୟମରେ ସମସ୍ୟାର ଆଶୁ ସମାଧାନ ହୋଇ ପାରିବ ସେ ବିଷୟରେ ମତ ରଖିଥିଲେ । ଇଣ୍ଡିଆନ ରେଡକ୍ରସ ସୋସାଇଟିର ଭାଇସ ଚେୟାର ମ୍ୟାନ ପଣ୍ଡା ଆପଦା ସମୟରେ ରେଡକ୍ରସର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ ସେବା ଭାରତୀର କ୍ଷେତ୍ରୀୟ ସେବା ପ୍ରମୁଖ ଜଗଦୀଶ ପ୍ରସାଦ ଖାଡଙ୍ଗା ଆପଦା ସମୟରେ ସ୍ୱୟଂସେବକ ଏବଂ ରାଷ୍ଟ୍ରୀୟ ସେବା ଭାରତୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ ।