
ଗଞ୍ଜାମ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ଆଜିଠୁ ତିନି ଦିନିଆ ଗଞ୍ଜାମ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ପାଣ୍ଡିଆନଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ତଥା ବିଜେଡ଼ି ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀ ମାନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଇତିମଧ୍ୟରେ ଶେଷ ହୋଇଛି । ତେବେ ଗୋପାଳପୁରରେ ମଧ୍ୟ ତାଙ୍କର କାର୍ଯ୍ୟକ୍ରମ ରହିଥିବାରୁ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ତାଙ୍କର ପ୍ରଦୀପ ସେନା ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ବିରୋଧ କରାଯାଇପାରେ । ଅନ୍ୟପକ୍ଷରେ କେତେକ ସ୍ଥାନରେ ବିଜେପି ପକ୍ଷରୁ ମଧ୍ୟ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଜଣାପଡିଛି । ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ରଙ୍ଗେଇଲୁଣ୍ଡା ବ୍ଲକ କନିସି ଜାତୀୟ ରାଜପଥ ଡିଭାଇଡରରେ ଲେଖାଯାଇଥିବା ପାଣ୍ଡିଆନ ବିରୋଧୀ ନାରାକୁ ପ୍ରଶାସନ ପକ୍ଷରୁ ଲିଭାଇ ଦିଆଯାଇଛି ।