ଭୁବନେଶ୍ଵର/ରାୟଗଡ଼ା, ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡାଙ୍କୁ ଜେରା କରୁଛି ଭିଜିଲାନ୍ସ । ତାଙ୍କୁ ଭୁବନେଶ୍ଵର ଅଣାଯାଇ ପଚରା ଉଚରା କରାଯାଉଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ଡିଏଫଓ ବିଜୟଙ୍କ ଘର ସମେତ ମୋଟ୍ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ । ବର୍ତମାନ ସୁଦ୍ଧା ତାଙ୍କର ୧୬ଟି ପ୍ଲଟ୍ ର ସନ୍ଧାନ ମିଳିଛି ।
ଆୟ ବର୍ହିଭୂତ ସମ୍ପତି ଖାନତଲାସିରେ ବର୍ତମାନ ସୁଦ୍ଧା ତାଙ୍କର କଟକରେ ଏକ ତିନିମହଲା ବିଶିଷ୍ଟ କୋଠା(ତଳମହଲା ସହିତ)(୯,୫୦୦ ବର୍ଗଫୁଟ), ଯାହାର ଆନୁମାନିକ ମୂଲ୍ୟ ୧.୮ କୋଟି, ଭୁବନେଶ୍ଵର ରସୁଲଗଡ଼ରେ ୫୧୦୦ ସ୍କୋୟାରଫୁଟ୍ ର ଏକ ତିନିମହଲା ବିଶିଷ୍ଟ କୋଠା, ଭୁବନେଶ୍ଵର ପଟିଆରେ ଗୋଟିଏ ଫ୍ଲାଟ ଏବଂ ଭୁବନେଶ୍ଵର, ପୁରୀ, କଟକ, ଯାଜପୁରରେ ତାଙ୍କର ମୋଟ୍ ୧୬ଟି ପ୍ଲଟ୍ ଠାବ ହୋଇଛି । ଏଥିସହିତ ତାଙ୍କ ଘରୁ ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା, ୬୫୦ ଗ୍ରାମ୍ ସୁନା ଜବତ ହୋଇଛି । ଗୋଟିଏ କାର୍, ଦୁଇଟି ବାଇକ୍ ସହିତ ୧୭ ଲକ୍ଷ ୮୭ ହଜାର ଟଙ୍କାର ଘରକରଣା ସାମଗ୍ରୀ ମଧ୍ୟ ଜବତ ହୋଇଛି । ବ୍ୟାଙ୍କ, ଇନ୍ସୁରାନ୍ସ ଏବଂ ଅନ୍ୟ ଜମାରାଶି ବାବଦରେ ଯାଂଚ୍ କରାଯାଉଛି । ଏନେଇ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଅଧିକ ପଚରା ଉଚରା ଜାରୀ ରହିଛି ।