ଗଞ୍ଜାମ- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଂଚଳ ସୁନାପଲ୍ଲୀ ଗ୍ରାମ ହରିଜନ ସାହି ଶେଷରେ ଥିବା ଲାଲୁ ଘାଇ ପୋଖରୀ ହୁଡ଼ାରେ ଥିବା ଏକ ଗଛରୁ ଜନୈକ ଯୁବକ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଆଜି ସକାଳେ ଗ୍ରାମର କିଛି ଲୋକ ପ୍ରଥମେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଛରୁ ଝୁଲନ୍ତା ଅବସ୍ଥାରେ ଥିବା ଶବକୁ ଉଦ୍ଧାର କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଆସିକା ମେଡ଼ିକାଲକୁ ପଠାଇଛି । ଉଭୟ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କବିସୂର୍ଯ୍ୟନଗର ଥାନା ପୋଲିସ ଏ ସଂକ୍ରାନ୍ତରେ ପୃଥକ୍ ପୃଥକ୍ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପ୍ରେମୀଯୁଗଳଙ୍କ ନାମ ଗୋପନ ରଖିଛି । ତେବେ ଘଟଣାକୁ ନେଇ ଅଦ୍ୟାବଧି ଗ୍ରାମରେ ଚାପା ଉତେଜନା ଲାଗି ରହିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉଭୟ ପରସ୍ପରକୁ ଭଲ ପାଉଥିଲେ । ହେଲେ ବିବାହ ପ୍ରସ୍ତାବକୁ ନେଇ ଉଭୟଙ୍କ ପରିବାର ଅରାଜି ଥିଲେ । ସେମାନେ ଗୋଟିଏ ଗାଁର ହୋଇଥିବାରୁ ଉଭୟଙ୍କ ପରିବାର ମଧ୍ୟରେ ଦେଖାଦେଇଥିଲା ଶତୃତା । କଥା ଯାଇ ଗ୍ରାମସଭାରେ ପହଂଚିଲା । ସଭା ବସିଲା, କିନ୍ତୁ କିଛି ନିଷ୍କର୍ସ ବାହାରିପାରିଲାନି । ବଂଚି ଥାଉ ଥାଉ ସମାଜ ସେ ଦୁହିଁଙ୍କୁ ଏକାଠି କରାଇନଦେବାରୁ ମୃତ୍ୟୁକୁ ହିଁ ଏକ ମାତ୍ର ପଥ ରୂପେ ବାଛିନେଲେ ପ୍ରେମୀ ଯୁଗଳ ।