ଗଂଜାମ/ଭୁବନେଶ୍ୱର, ୫ଟି ସଚିବଙ୍କ ଗଂଜାମ ଜିଲ୍ଲା ଗସ୍ତ ପୂର୍ବରୁ ଟାର୍ଗେଟ କରିଛି ବିଜେପି । ବିଜେପିର ଗଂଜାମ ଜିଲ୍ଲା ସଭାପତି ବିଭୁତି ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍ ଙ୍କ ସମେତ ବିଜେଡ଼ିର ଛାମୁଆ ନେତା ଦୁଇଦିନ ହେବ ସଚିବଙ୍କ ପାଇଁ ଟେଂଟ ଭିଡୁଛନ୍ତି । ଚାକର ପାଇଁ କିଛି ଗୁମାସ୍ତା ଆସି କାମ କରୁଛନ୍ତି । ବିରୋଧ ହୋଇଛି ଆଗକୁ ମଧ୍ୟ ପ୍ରବଳ ବିରୋଧ ହେବ ।କାନ୍ଥରେ ଭାରତୀୟ ଜନତା ପାର୍ଟି କଳା ରଙ୍ଗରେ କାର୍ଯ୍ୟକ୍ରମ କୁ ବିରୋଧ କରିଛି ।
ଓଡ଼ିଶାରେ ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପଦରେ । ସମସ୍ତ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଜଣେ କନିଷ୍ଠ କ୍ୟାଡର ଆଇଏଏସ୍ ଅଫିସର ଶାସନତନ୍ତ୍ରକୁ ଡକାୟତ କରିଛନ୍ତି । ଶାସକ ଦଳ ନିକଟ ୧୧୩ବିଧାୟକ, ୨୦ ଜଣମନ୍ତ୍ରୀ, ୨୧ଜଣ ଲୋକସଭା ଓ ରାଜ୍ୟସଭା ସାଂସଦ ଆଜି କିଂ କର୍ତବ୍ୟ ବିମୂଢ ପାଲଟିଛନ୍ତି । ଅସନ୍ତୋଷ ଜଳଜଳ ହୋଇଥଲେ ବି ଟିକେଟ ଆଶାରେ କୌଣସି ବିଧାୟକ, ସାଂସାଦ ଓ ମନ୍ତ୍ରୀ ମୁହଁ ଖୋଲିନାହାନ୍ତି ।ବରଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟ ପାଣ୍ଡିଆନଙ୍କ ଗସ୍ତ ପାଇଁ ଟେଂଟ ଭିଡିଛନ୍ତି ।ଗଣତନ୍ତ୍ରର ଏଭଳି ଦୟନୀୟ ସ୍ଥିତିରେ ବିଜେପି ଉଦବେଗ ପ୍ରକାଶ କରୁଛି ।ସଚିବଙ୍କ ମାତ୍ର ତିନିଦିନ ଗଞ୍ଜାମ ଗସ୍ତରେ ଜିଲ୍ଲାର ୧୨ଟି ନିର୍ବାଚନମଣ୍ଡଳୀରେ ସଭା ଆନ୍ଦୋଳନ କରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏକ ଧୂଆଁବାଣ । ଗତ ଦୁଇ ମାସ ଧରିରାଜ୍ୟ ସାରା ବୁଲୁଛନ୍ତି । ଗ୍ରହଣ କରିଥିବା ହଜାର ହଜାର ଅଭିଯୋଗ ପତ୍ର ସମାଧାନ ହୋଇଛି କି ତାହାର ଜବାବ ମାଗୁଛି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମକୁ ଏକ ନମ୍ବର କରିବାକୁ ପ୍ରତିଶ୍ରୁତି ପାଣିରେ ଗାର ହେବା ପରେ ଏବେ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ନୂଆ ନାଟକ ଆରମ୍ଭ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ସାଧନ କରିବାକୁ ସଚିବଙ୍କ ବ୍ୟୟ ବହୁଳ ଗସ୍ତ ଓଡ଼ିଶାବାସୀଙ୍କୁ ଚକିତ କରିଛି । ମାତ୍ର ଦୁଇ କି.ମି ଦୂର ପାଇଁ ହେଲିକେପ୍ଟର ବ୍ୟବହାର କରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ସେହିପରି ବିଧାୟକ ଓ ସ୍ଥାନୀୟ ପ୍ରଶାସନ ସଭାସ୍ଥଳକୁ ଲୋକଙ୍କୁ ବୋହି ନେଉଛନ୍ତି ।ଏବାବଦରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ମହିଳା ଏସଏଚଜି ସରକାରଙ୍କ ହାତବାରିସି ପାଲଟିଛି । କଲେଜ ପିଲାଙ୍କୁ ଫେଲ୍ ଧମକ ଦେଇ ସଭାସ୍ଥଳକୁ ବୋହି ନେବା ବ୍ୟବସ୍ଥା ହୋଇଥିବା ଅଭିଯୋଗ ପହଂଚିଛି ।
୨୪ ବର୍ଷରେ ଗଂଜାମ ଜିଲ୍ଲାରେ ବିକାଶର ଛାଇ ମାଡ଼ିନି । କୃଷି, ଶିଳ୍ପ, ଶିକ୍ଷା, ଚିକିତ୍ସା ଓ ମହିଳା ବିକାଶ କ୍ଷେତ୍ରରେ ସବୁଠୁ ନିମ୍ନରେ । ଦାଦନ ଶ୍ରମିକରେ ଗଞ୍ଜାମ ଜିଲ୍ଲା ନମ୍ବର ୱାନ ହୋଇଛି । ଗୋଟିଏ ବି ଡ୍ୟାମ୍ ନିର୍ମାଣ ହୋଇନି । ଇେଂଚଜମିକୁ ଜଳସେଚନ ହୋଇନି । ଗତ ୨୪ ବର୍ଷରେ ଛୁଂଚି କାରଖାନା ଗୋଟେ ସରକାର କରିନାହାନ୍ତି । ଅନ୍ୟପକ୍ଷରେ ଶିଳ୍ପ ନାଁ ରେ ହଜାର ହଜାର ଏକର ଜମି ବୃହତ୍ କମ୍ପାନୀକୁ ଟେକି ଦେଇଛନ୍ତି । କୌଣସି ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି । ସ୍କୁଲରେ ଶିକ୍ଷକ ଅଭାବ ଓ ମତ୍ସ୍ୟଜିବୀ ମାନଙ୍କ ପାଇଁ ଜେଟ୍ ନାରେ ଭୋଟ ପାଇଁ ନୂଆ ଚୂଳାଉଛନ୍ତି । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜନୈତିକ କାର୍ଯ୍ୟକ୍ରମ ପାଲଟିଛି । ବ୍ରହ୍ମପୁରରେ ଗ୍ରୀନ ଫିଲ୍ମ ବିମାନ ବନ୍ଦର ନିର୍ମାଣ ସ୍ୱପ୍ନ ପାଲଟିଛି । ମହିଳା ସଶସ୍ତୀକରଣ କେବଳ କାଗଜ କଲମରେ ସୀମିତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଉନି । ଯୋଗ୍ୟ ହିତାଧୁକାରୀ ବାଦ ପଡ଼ିଛନ୍ତି । ଗଞ୍ଜାମର ବୁଣାକାରଙ୍କୁ ପ୍ରୋସାହନ ଅଭାବରୁ କୌଳିକ ବୃଦ୍ଧି ଛକୁଛନ୍ତି । ଗଞ୍ଜାମ ଜିଲ୍ଲାରୁ ପ୍ରଚୁର ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହେଉଛି । ସରକାର ବାଲି ଓ ପଥର ମାଫିଆଙ୍କ ସହାୟତାରେ ଭୋଟ ରାଜନୀତି କରୁଛି ।ମୁଖ୍ୟମନ୍ତ୍ରୀଙ୍କ ସଚିବ ଗଞ୍ଜାମ ଜିଲ୍ଲାର ଏସବୁ ସମସ୍ୟା ଅଭିଯୋଗ ସମାଧାନ ଦିଗରେ ପଦକ୍ଷେପ ନେବେ କି ବୋଲି ବିଜେପି ପ୍ରଶ୍ନ କରିଛି ।