ଜୟପୁର, ଦାଦନ ଖଟିବାକୁ ଯାଇ ନିର୍ଯାତନା ସହିପାରିଲେନି। ଶେଷରେ ଭଦ୍ରାଚଲମ ଠାରୁ କିଛି ନ ଖାଇ କେବଳ ପାଣି ପିଇ ଚାଲି ଚାଲି ନିଜ ଗାଁକୁ ଯାଉଥିଲେ ଦାଦନ ଶ୍ରମିକ, ହେଲେ ୩୦୦ କିଲୋମିଟର ଚାଲିବା ପରେ ଆଉଆଗକୁ ଚାଲି ନପାରି ରାସ୍ତାକଡ଼ରେ ଥିବା ବିଶ୍ରାମଗାରେ ବସିଥିଲେ, କିଛି ସ୍ବେଛାସେବୀ ଏହା ଦେଖି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଦାଦନ ଶ୍ରମିକ ଜଣକ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସଗର ଗ୍ରାମର ଦାମୋଦର ଖିଲ ବୋଲି ଜଣାପଡିଛି। ସେ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଭଦ୍ରାଚଲମର ଚିଙ୍ଗୁଡ଼ି ଫେକ୍ଟରୀରେ କାମ କରିବା ପାଇଁ ଯାଇଥିଲେ। ତାଙ୍କୁ ଦଇନିକ ୫୫୦ ଟଙ୍କା ମଜୁରୀ ଦିଆଯିବ ବୋଲି ମିଛ କହି ଜଣେ ଦଲାଲ ନିଜ ସଙ୍ଗରେ ନେଇ ଭଦ୍ରାଚଲମ ନେଇ ଛାଡିଦେଲେ, ହେଲେ ଫେକ୍ଟରୀରେ ଚାରିମାସ ପନ୍ଦର ଦିନ ପର୍ଯ୍ୟନ୍ତ କାମ କରିଥିଲେ ମଧ୍ୟ ତାଙ୍କୁ ମାଲିକ ମଜୁରୀ ନ ଦେବା ଯୋଗୁଁ ବାଧ୍ୟ ହୋଇ ଦାମୋଦର ନିଜ ଗାଁ ଅଭିମୁଖେ ପାଦରେ ଚାଲିଚାଲି ବାହାରିଲେ, ହେଲେ ୩୦୦ କିଲୋମିଟର ଚାଲିବା ପରେ ଆଉ ଆଗକୁ ଚାଲି ନ ପାରି ଶେଷରେ ରାଞ୍ଚି – ବିଜୟୱାଡା ୩୨୬ ନମ୍ବର ଜାତୀୟ ରାଜପଥର ବୈପାରୀଗୁଡା ଥାନା ଅନ୍ତର୍ଗତ ଟାଙ୍ଗିଣୀଗୁଡା ଛକ ରାସ୍ତା କଡ଼ରେ ଥିବା ବିଶ୍ରାମଗୃହରେ ସେ ଅଟକି ଯାଇଥିଲେ। ଗତ ୨୯ ଦିନ ଧରି ଚାଲିଚାଲି ଆସୁଥିବା ଯୋଗୁଁ ସେ ଥକି ଯାଇଥିବାରୁ ତାଙ୍କୁ କିଛି ସ୍ଥାନୀୟ ଯୁବକ ଉଦ୍ଧାର କରି ବୈପାରୀଗୁଡା ପୋଲିସକୁ ହସ୍ତାନ୍ତର କରିଛନ୍ତି। ସେପଟେ ପରିବାରଲୋକଙ୍କୁ ଯୋଗାଯୋଗ କରାଯାଉଛି। ଦାମୋଦରଙ୍କ ପ୍ରାଥମିକ ଚିକିତ୍ସାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
Related Stories
November 22, 2024