ଭୁବନେଶ୍ୱର, ଶ୍ରାବଣ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ । ଏଥିପାଇଁ ସଂନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଂଟା ଧରି ଦର୍ଶନ ବନ୍ଦ ରହିବ । ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର ତଥା ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ୱାର ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଦତମହାପାତ୍ର ସେବକମାନେ ଗର୍ଭଗୃହରେ ପ୍ରବେଶ କରିବେ । ଏହାପରେ ବନକଲାଗି ଗୁପ୍ତ ନୀତି ସମାପନ ହେବ । ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ମହାସ୍ନାନ ପରେ ଭକ୍ତ ମାନେ ପୁଣି ଶ୍ରୀ ବିଗ୍ରହ ମାନଙ୍କ ଦର୍ଶନ କରିପାରିବେ ।
ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥାଏ ।