ଭୁବନେଶ୍ୱର – ରାଜ୍ୟରେ ବ୍ୟାଙ୍କ୍ ସେବାକୁ ଅଧିକ ଅଂଚଳରେ ସମ୍ପ୍ରସାରଣ କରିବା ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟ ବ୍ୟାଙ୍କରର୍ସ କମିଟି ବୈଠକରେ ଏହି ନିଷ୍ପତି ହୋଇଛି ।
ଭୁବନେଶ୍ୱର ଠାରେ ୟୁକୋ ବ୍ୟାଙ୍କ୍ ପକ୍ଷରୁ ଆୟୋଜିତ ଏହି ବୈଠକରେ ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ ଅଧ୍ୟକ୍ଷତା କରିଥିଲେ । ବୈଠକ ପରେ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ୪,୨୯୧ଟି ଗ୍ରାମରେ ବ୍ୟାଙ୍କ୍ ସେବା ନାହିଁ । ବ୍ୟାଙ୍କ୍ ସେବା ଯୋଗାଇ ଦେବା ପାଇଁ ପ୍ରତି ଗ୍ରାମ ପଂଚାୟତ ଅଫିସ୍ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯିବ । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ଗାଁ ଠାରୁ ୫ କିମି ଦୂରରେ ବ୍ୟାଙ୍କ୍ ରହିବା ଆବଶ୍ୟକ । ସେହି ଅନୁସାରେ ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଏସବିଆଇର୨ ଟି ଶାଖା ଖୋଲିବା ପାଇଁ ସ୍ଥିର ହୋଇଛି । ୫୭୧ ଟି ସ୍ଥାନରେ ତୁରନ୍ତ ଏହି ବ୍ୟାଙ୍କ୍ ସେବା ଯୋଗାଇ ଦେବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ୨୦୨୦ରେ ସରକାରଙ୍କ ସବୁ ବିଭାଗର ଦେଣ ନେଣ ଡିଜିଟାଲ ପେମେଂଟ ମାଧ୍ୟମରେ କରାଯିବ । ନଗଦ କାରବାର ବନ୍ଦ କରାଯିବ ।
ଅନ୍ୟପକ୍ଷରେ ୟୁକୋ ବ୍ୟାଙ୍କର ଏମଡି ଏ କେ ଗୋୟଲ କହିଛନ୍ତି ଯେ ସବୁ ବ୍ୟାଙ୍କ୍ କୁ ବର୍ଷିକିଆ ଟାର୍ଗେଟ୍ ଦିଆଯାଇଥାଏ । ଟାର୍ଗେଟ୍ ପୂରଣ ନେଇ ପ୍ରତି ୩ ମାସରେ ବୈଠକ କରାଯାଇଥାଏ । ଚଳିତ ବର୍ଷ ୫୨ ପ୍ରତିଶତ ଟାର୍ଗେଟ୍ ପୂରଣ କରାଯାଇଛି । କୃଷି କ୍ଷେତ୍ରରେ ୩୮ ପ୍ରତିଶତ ଟାର୍ଗେଟ୍ ପୂରଣ ହୋଇଛି । ମତ୍ସ୍ୟ ଚାଷ ଓ ପଶୁ ପାଳନ ପାଇଁ ଋଣ ଯୋଗାଇ ଦିଆଯିବ । ଏମଏସଏମଇ କ୍ଷେତ୍ରରେ ୯୪ % ଲକ୍ଷ୍ୟ ହାସଲ କରାଯାଇଛି । ମୁଦ୍ରା ଲୋନ୍ ରେ ଅଧିକ ସଫଳତା ମିଳିଛି । ଏହାର ପରିମାଣକୁ ବଢାଇବା ସହ ଅଧିକ ଋଣ ଦେବା ଲାଗି ନିଷ୍ପତି ହୋଇଛି ବୋଲି ସେ କହିଛନ୍ତି ।