-
ଖୁବ୍ ଶୀଘ୍ର ଜେଲ୍ ମହାନିର୍ଦ୍ଦେଶକଙ୍କୁ ରିପୋର୍ଟ ଦେବେ ସମ୍ବଲପୁର ଜେଲ୍ ଡିଆଇଜି
ବଲାଙ୍ଗିର, କଂଟାବାଞ୍ଜି ଉପକାରାଗାରର ଜେଲର୍ ବିକାଶଲତା ବାରୁ ଜନୈକ ସାମ୍ବାଦିକଙ୍କ ମୁଣ୍ଡ ମାଗିବା ଅଭିଯୋଗର ତଦନ୍ତ ଜାରି ରହିଛି । ତଦନ୍ତ ପରେ ଜେଲ୍ ମହାନିର୍ଦ୍ଦେଶକ ମନୋଜ କୁମାର ଛାବ୍ରାଙ୍କୁ ରିପୋର୍ଟ ଦେବେ ସମ୍ବଲପୁର ଜେଲ୍ ଡିଆଇଜି କୁଳମଣି ବେହେରା । ତେବେ ଏହି ରିପୋର୍ଟରେ ସେ କ’ଣ ତଥ୍ୟ ରଖିବେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି ।
ଘଟଣାରୁ ପ୍ରକାଶ ଯେ, ରୋହନ୍ ମହତ ନାମକ ଜଣେ ଦୈନିକ ଖବରକାଗଜର ପ୍ରତିନିଧିଙ୍କୁ ହତ୍ୟା କରିବା ପାଇଁ କଂଟାବାଞ୍ଜି ଉପକାରାଗାରର ଜେଲର୍ ବାରୁ ଜଣେ ୱେବ ସାମ୍ବାଦିକଙ୍କ ସହିତ କଥାବାର୍ତା କରୁଥିବାର ଅଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଭାଇରାଲ୍ ଅଡ଼ିଓକୁ ଆଧାର କରି ସାମ୍ବାଦିକ ରୋହନ୍ ଜେଲର୍ ବାରୁ ଓ ସମ୍ପୃକ୍ତ ୱେବ ସାମ୍ବାଦିକଙ୍କ ନାମରେ କଂଟାବାଞ୍ଜି ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ୨୪୨/୨୩ ରେ ଏକ ମାମଲା ରଜ୍ଜୁ କରିଥିଲା । ଘଟଣାର ଗୁରୁତ୍ଵକୁ ଉପଲବ୍ଧି କରି ଜେଲ୍ ମହାନିର୍ଦ୍ଦେଶକ ଶ୍ରୀ ଛାବ୍ରା ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ସମ୍ବଲପୁର ଜେଲ୍ ଡିଆଇଜି ଶ୍ରୀ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କ୍ରମେ ଶ୍ରୀ ବେହେରା ଗତକାଲି କଂଟାବାଞ୍ଜିରେ ପହଂଚି ବିଭିନ୍ନ ଦିଗରୁ ମାମଲାର ତଦନ୍ତ କରିଛନ୍ତି । ତଦନ୍ତ ସରିବା ପରେ ଖୁବ୍ ଶୀଘ୍ର ଏହି ରିପୋର୍ଟ ଜେଲ୍ ମହାନିର୍ଦ୍ଦେଶକଙ୍କୁ ଦିଆଯିବ ବୋଲି ଜଣାପଡିଛି ।