ଭୁବନେଶ୍ୱର – ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ସହ ମସ୍ତିଷ୍କର ବିକାଶରେ ପିତାମାତା, ପରିବାର, ଗୋଷ୍ଠୀ ଓ ଅଭିଭାବକମାନଙ୍କର ଭୂମିକାକୁ ସୁନିଶ୍ଚିତ କରିବା ତଥା ସେମାନଙ୍କର ଦାୟିତ୍ୱ ଏବଂ କର୍ତବ୍ୟ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ପ୍ରତ୍ୟେକ ମାସର ୧୯ ତାରିଖକୁ ଅଙ୍କୁର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସାରା ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପିତାମାତା, ଜେଜେବାପା, ଜେଜେମା, ମାତୃ କମିଟି, ଯାଂଚ କମିଟି, ଆଶାକର୍ମୀ, ପଂଚାୟତିରାଜ ପ୍ରତିନିଧି, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍ଥାନୀୟ ଲୋକ କଳାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଉପସ୍ଥିତିରେ ଅଙ୍କୁର ଦିବସ ସଫଳତାର ସହ ପାଳିତ ହୋଇଯାଇଛି ।
ଶିଶୁମାନଙ୍କ ମସ୍ତିଷ୍କର ବିକାଶ ସମ୍ବନ୍ଧୀୟ ସମସ୍ତ ଉପାଦାନ ଯଥା ଘରୋଇ ଯତ୍ନ, ଖେଳର ଗୁରୁତ୍ୱ, ଉତମ ଅଭ୍ୟାସ, ଶିଶୁର ଦକ୍ଷତା ଆକଳନ, ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ମା’ ଏବଂ କିଶୋରୀମାନଙ୍କ ସମ୍ପୃକ୍ତି ଏବଂ ପିଲାମାନଙ୍କ ପାଇଁ ଆଉଟ୍ଡୋର କାର୍ଯ୍ୟକ୍ରମରେ ପିତାମାତା ଏବଂ ଅଭିଭାବପକମାନଙ୍କ ସହଭାଗିତା ସମ୍ପର୍କରେ ଅବଗତ କରାଇବା ହେଉଛି ଅଙ୍କୁର ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହି ଦିବସ ପାଳନ ପାଇଁ ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ଏହି କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ସମସ୍ତଙ୍କ ଭୂମିକା ସମ୍ପର୍କରେ ଏକ ଆଦର୍ଶ ନିୟମାବଳୀ ପ୍ରଣୟନ କରାଯାଇଛି । ଅଙ୍କୁର ଦିବସ ପାଳନକୁ ତଦାରଖ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ଏବଂ ପରାମର୍ଶଦାତାମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି ।
ପିତାମାତା, ଶିଶୁର ଯତ୍ନ ନେଉଥିବା ବ୍ୟକ୍ତିବିଶେଷ ଏବଂ ଗୋଷ୍ଠୀମାନଙ୍କୁ ନେଇ ଶିଶୁର ପ୍ରାକ୍ ଶୈଶବର ଯତ୍ନ ଉପରେ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏବଂ ଶିଶୁମାନଙ୍କ ମଧ୍ୟରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ମାସରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ନିମନ୍ତେ ବିଭିନ୍ନ ବିଷୟବସ୍ତୁ ଚୟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଡିସେମ୍ବର ମାସ ପାଇଁ ଶିଶୁମାନଙକ ପାଇଁ ଖେଳର ଗୁରୁତ୍ୱ ସମ୍ପର୍କରେ ଅଙ୍ଗନବାଡ଼ିଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଖେଳିବା ଦ୍ୱାରା ଶିଶୁର ଶାରୀରିକ ବିକାଶ ହୁଏ, ଶିଶୁ ଖୁସି ହୁଏ, ଶିଶୁର ଭୋକ ବଢ଼େ ଏବଂ ପରୋକ୍ଷ ଭାବେ ଶିଶୁକୁ ପୋଷଣରୁ ମୁକ୍ତି ମିଳେ । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଗଳ୍ପ କଥନ, ନୃତ୍ୟ ସଂଗୀତ ଅଭିନୟ ମାଧ୍ୟମରେ ଖେଳକୁଦ ଏବଂ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ବିଭିନ୍ନ ଖେଳନା ବ୍ୟବହାର କରି ପିତାମାତା ଏବଂ ଅଭିଭାବକମାନଙ୍କ ମଧ୍ୟରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ସମ୍ବନ୍ଧୀୟ ସୂଚନାକୁ ମୋ ବିକାଶ ପତ୍ର ମାଧ୍ୟମରେ ପିତାମାତାଙ୍କୁ ଅବଗତ କରାଯାଇଥିଲା । ଶିଶୁମାନଙ୍କ ପରିପୂର୍ଣ୍ଣ ବିକାଶକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରକୁ ବିଭିନ୍ନ ଖେଳ ଉପକରଣ, ଶିକ୍ଷା ଉପକରଣ ଯୋଗାଇବା ସହ ଭିତିଭୂମି ବିକାଶ ମାଧ୍ୟମରେ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି ।