ଲେହ,ଜମ୍ମୁକଶ୍ମୀରର ଲେହ ଜିଲ୍ଲା ଅନ୍ତର୍ଗତ କିୟାରୀ ଅଞ୍ଚଳରେ ଗତ ଶନିବାର ସଡକ ଦୁର୍ଘଟଣାରେ ସହିଦ ହୋଇଥିବା ଯବାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଲେହର କିୟାରୀ ନିକଟରେ ସେନା ଟ୍ରକ ଏକ ଖାଇ ଭିତରକୁ ଖସିପଡିଥିଲା । ଫଳରେ ଜଣେ ଅଧିକାରୀଙ୍କ ସମେତ 9ଜଣ ଯବାନ ସହିଦ ହୋଇଥିଲେ । ତେବେ ଶ୍ରଦ୍ଧାଞ୍ଜଳି ସମାରୋହ ପରେ ସମସ୍ତ ସୈନିକଙ୍କ ପାର୍ଥିବ ଶରୀରକୁ ସମ୍ମାନର ସହ ତାଙ୍କ ପୈତୃକ ଗାଁକୁ ପଠାଯାଇଛି ।
ଏନେଇ ସେନା ପକ୍ଷରୁ ଟ୍ୱିଟର ଜରିଆରେ ସୂଚନା ଦିଆଯାଇଛି । ସେନା ପକ୍ଷରୁ କୁହାଯାଇଛି ଯେ, ଶ୍ରଦ୍ଧାଞ୍ଜଳି ସମାରୋହରେ 19 ଅଗଷ୍ଟରେ ଡ୍ୟୁଟି ବେଳେ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହାସୀମାନଙ୍କୁ ଫାୟାର ଏବଂ ଫ୍ୟୁରି କପର୍ସ କମାଣ୍ଡର ଓ ସମସ୍ତ ପଦବୀ ପକ୍ଷରୁ ପୂର୍ଣ୍ଣ ସାମରିକ ସମ୍ମାନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ଏହି ଦୁଃଖଦ ଦୁର୍ଘଟଣାରେ ଯବାନଙ୍କ ବଳିଦାନକୁ ନେଇ ଶୋକବ୍ୟକ୍ତ କରିଛନ୍ତି ।
ଭାରତୀୟ ସେନା ଅଧିକାରୀଙ୍କ ସାଇଟରେ ଏକ ପୋଷ୍ଟରେ ଉଲ୍ଲେଖ ରହିଛି ଯେ, ଜେନେରାଲ ମନୋଜ ପାଣ୍ଡେ ଓ ଭାରତୀୟ ସେନାର ସମସ୍ତ ପଦାଧିକାରୀ ଲଦ୍ଦାଖରେ ହୋଇଥିବା ଦୁଃଖଦ ଓ ଦୁର୍ଭାଗ୍ୟଜନକ ସଡକ ଦୁର୍ଘଟଣାରେ ସହିଦ ହୋଇଥିବା ବୀରଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶ୍ରଦ୍ଧାଞ୍ଜଳି ସମାରୋହ ପରେ ସମସ୍ତ ଯବାନଙ୍କ ପାର୍ଥିବ ଶରୀର ପୂର୍ଣ୍ଣ ସମ୍ମାନର ସହ ସେମାନଙ୍କ ପୈତୃକ ଗାଁକୁ ପଠାଇ ଦିଆଯାଇଛି । ବୀରଗତି ପ୍ରାପ୍ତ ହୋଇଥିବା 9ଜଣଙ୍କ ମଧ୍ୟରୁ 4ଜଣ ସୈନିକଙ୍କ ଘର ହରିୟାଣାରେ ହୋଇଥିବା ବେଳେ ହିମାଚଳ ପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ଜଣେ ଜଣେ ସୈନିକ ଘର ହୋଇଥିବା ସୂଚନା ମିଳିଛି ।