ଭୁବନେଶ୍ୱର, ରାଜଧାନୀରେ ବଢୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଥିବା ସମସ୍ତ ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଡେଙ୍ଗୁ ୱାର୍ଡ ଖୋଲିବାକୁ ନିଷ୍ପତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଏହି ସିଏଚସି ଗୁଡ଼ିକରେ ଡେଙ୍ଗୁ ରୋଗୀଙ୍କ ପାଇଁ ୧୦ଟି ଲେଖାଏଁ ବେଡ୍ ରହିବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ରାଜଧାନୀରେ ଡେଙ୍ଗୁ ରୋଗଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତେ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବ୍ଲଡ୍ ବ୍ୟାଙ୍କରେ ରକ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ସ୍ୱତନ୍ତ୍ର ବ୍ୟବସ୍ଥା କରିବ । ଅନ୍ୟପକ୍ଷରେ ଡେଙ୍ଗୁ ମୃତ୍ୟୁ ହାର ଶୂନ ରହିଛି । ସବୁ ଜିଲ୍ଲାରେ ବିଶେଷଜ୍ଞ କମିଟି ରହିଛି । ବିଶେଷଜ୍ଞ କମିଟି ଯାଂଚ କରି ତଥ୍ୟ ଦେବା ପରେ ଡେଙ୍ଗୁ ମୃତ୍ୟୁ ଜଣାଯାଏ । ଏବେ ସୁଦ୍ଧା ଡେଙ୍ଗୁ ମୃତ୍ୟୁ ତଥ୍ୟ ନାହିଁ ।
ଚଳିତ ବର୍ଷ କେବଳ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୧୦୫୯ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜଧାନୀର ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ-୯ ଓ ସହିଦ ନଗର ଆଦି ଅଂଚଳ ଡେଙ୍ଗୁ ହଟସ୍ପଟ ପାଲଟିଛି ।