ଗଞ୍ଜାମ, ଅଗଷ୍ଟ ୩୧ ତାରିଖରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନର ଚିଠି ନମ୍ବର ୨୮୨୪ ଅନୁସାରେ ତାରିଖ ଘୋଷଣା କରିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଏନେଇ ଚିଳିତ ମାସ ୨୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରୀ ହେବାନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ବୋଲି ବିଡ଼ିଓ ଡଃ. ଚିତରଞ୍ଜନ ଦାଶ କହିଛନ୍ତି । ଅଗଷ୍ଟ ୩୧ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଅଧ୍ୟକ୍ଷ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ, ୧୧ଟାରେ ନାମାଙ୍କନପତ୍ର ଯାଂଚ୍, ଦିନ ୧୨ଟା ପୂର୍ବରୁ ପ୍ରତ୍ୟାହାର ଓ ସାଢ଼େ ୧୨ଟାରୁ ୨ଟା ମଧ୍ୟରେ ମତଦାନ ପ୍ରକ୍ରିୟା ହେବ । ପରିଶେଷରେ ଭୋଟ୍ ଗଣତି କରାଯିବ ବୋଲି ବିଡ଼ିଓ ଡଃ. ଦାଶ ସୂଚନା ଦେଇଛନ୍ତି । ବ୍ଲକ ଅଧ୍ୟକ୍ଷାଙ୍କ ମୃତ୍ୟୁ ପରେ ପଦବୀ ହାତେଇବା ପାଇଁ ଏଠାରେ ବିଜେଡ଼ିର ଦୁଇ ଗୋଷ୍ଠି ମଧ୍ୟରେ ଛକାପଞ୍ଝା ଲାଗିରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବ୍ଲକର ୨୫ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ କିଛି ସଦସ୍ୟଙ୍କୁ ନିଜ ଆଡକୁ ଆଣିବାକୁ ଉଭୟ ଗୋଷ୍ଠି ପ୍ରୟାସ ଜାରି ରଖିଛନ୍ତି ।
ନିକଟରେ ଗୋକର୍ଣ୍ଣପୁର ସମିତିସଭ୍ୟ ଉପନିର୍ବାଚନରେ ବିପ୍ଲବ ପାତ୍ରଙ୍କ ଗୋଷ୍ଠି ସମିତିସଭ୍ୟ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସେଠୀ ତାଙ୍କ ପ୍ରତିଦ୍ଵନ୍ଦୀ ଅସିତ୍ କୁମାର ସାହୁଙ୍କୁ ୪୭୫ ଭୋଟ୍ ରେ ପରାଜିତ କରିଥିଲେ ।