ସାଲେପୁର, କଥାରେ ଅଛି ଚାଷ ଅଛି ଯାହାର କି ସୁଖ ତାହାର । ଏହି ମର୍ମରେ ବର୍ତ୍ତମାନର ଚାଷୀ ନାନାଦି ସମସ୍ୟା ଦେଇ ଗତି କରୁଥିଲା ବେଳେ ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ସେଥିପାଇଁ ଆଜି ଚାଷୀ କହୁଛି ଚାଷ ଅଛି ଯାହାର କି ଦୁଃଖ ତାହାର । ଏହି ନାରାଟି କହିବାର ତାତ୍ପର୍ଯ୍ୟ ଚାଷୀ ବର୍ତ୍ତମାନ ନାନାବିଧ ସମସ୍ୟା ଦେଇ ଗତି କରୁଥିଲା ବେଳେ ସେଥିପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି । ଜମିରେ ପାଣି ନାହିଁ । ଶ୍ରମିକ ଅଭାବରୁ ଚାଷୀଟି ଚାଷ କାର୍ଯ୍ୟକୁ ତ୍ଵରାନ୍ବିତ କରିପାରୁନାହିଁ । ଯାହାଦ୍ଵାରା କି ଚାଷ କାର୍ଯ୍ୟରେ ନିୟୋଜିତ ହେଉଥିବା ଶ୍ରମିକମାନେ ଚାଷ କାର୍ଯ୍ୟକୁ ଆଉ ଆଦରୁ ନାହାଁନ୍ତି । ଚାଷୀଟି ମୁଣ୍ଡଝାଳ ତୁଣ୍ଡରେ ମାରି ଅସହାୟ ଭାବେ ଏକାକୀ ନିଜର ଜମିରେ ରୁଆପୋତା କାର୍ଯ୍ୟ କରୁଛି ।
ଅପରପକ୍ଷରେ ଅମଳ ସମୟରେ ଚାଷ କାର୍ଯ୍ୟରୁ ବାହାରୁଥିବା ଧାନର ଉପଯୁକ୍ତ ମୂଲ୍ୟ ପାଇପାରୁନାହିଁ । ଏବେ ସିନା ହଳଲଙ୍ଗଳରେ ଚାଷ କାର୍ଯ୍ୟ କରାଯାଉନାହିଁ । କଳ ଲଙ୍ଗଳରେ ଚାଷ କାର୍ଯ୍ୟ କରିବାକୁ ଚାଷୀ ପାଖରେ ଅର୍ଥର ଅଭାବ ଦେଖାଦେଇଛି । ଚାଷୀଟି ଦିନରାତି ଏକ୍ କରି ବିଲରେ କାର୍ଯ୍ୟ କରୁଥିଲା ବେଳେ ଉପଯୁକ୍ତ ମୂଲ୍ୟରେ ତା’ର ଅମଳ ହେଉଥିବା ଫସଲକୁ ବିକି ପାରୁନାହିଁ । ସାର, କୀଟନାଶକ ଔଷଧର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ଚାଷ କାର୍ଯ୍ୟରେ ସଠିକ୍ ପରିମାଣରରେ ସାର ପ୍ରୟୋଗ କରିନପାରି ଚାଷୀ ଆବଶ୍ୟକ ମୁତାବକ ଅମଳ ପାଇ ପାରୁନାହିଁ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ ଚାଷୀର କ୍ଷତି ହେଉଥିଲା ବେଳେ ସରକାରୀ ସ୍ତରରେ ତଦନ୍ତ କରାଯାଇ କ୍ଷତିପୂରଣ ପ୍ରଦାନ କରାଯାଉନଥିବାରୁ ଚାଷୀ ନାନାବିଧ ସମସ୍ୟାରେ ଦେଇ ଗତି କରି ଶେଷରେ ହତୋତ୍ସାହିତ ହୋଇପଡୁଛି । କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ପି.ଏମ୍. କିଶାନ ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ୩ ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ଦେଉଥିଲା ବେଳେ ରାଜ୍ୟ ସରକାର ୨ ହଜାର ଟଙ୍କା ଲେଖାଏଁ ୨ ଟି କିସ୍ତିରେ ବାର୍ଷିକ ୪ ହଜାର ଟଙ୍କା ପ୍ରଦାନ କରୁଥିଲେ ହେଁ ତାହା ଚାଷୀ ଆବଶ୍ୟକତା ମେଣ୍ଟାଇ ପାରୁନଥିବାର ଜଣାଯାଇଛି । ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଥିବା କୃଷି ଅଧିକାରୀମାନେ ଚାଷୀଙ୍କ ପାଖକୁ ନଯାଇ ନିଜର କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି । ଯେଉଁ କୃଷି ଅଧିକାରୀମାନେ ପଂଚାୟତର ଚାଷୀମାନଙ୍କ ପାଖକୁ ଯାଇ ଚାଷ କାର୍ଯ୍ୟର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବା କଥା ତାହା କରାଯାଉନାହିଁ । ଚାଷୀଟି ବାରମ୍ବାର ବ୍ଲକ କୃଷି କାର୍ଯ୍ୟାଳୟକୁ ଦୌଡୁଥିଲେ ହେଁ ସରକାରୀବାବୁ ମାନଙ୍କର ଦେଖା ମିଳୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।