ସାଲେପୁର, ମାହାଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ସଡ଼କଯୋଜନା କାର୍ଯ୍ୟ ଗ୍ରାମ୍ୟଉନ୍ନୟନ ବିଭାଗର ଯନ୍ତ୍ରୀ ଓ ଠିକାଦାରଙ୍କ ପ୍ରୀତିଯୋଗୁ ମନ୍ଥର ଗତିରେ ଚାଲିଛି । ଏଠାରେ ସୂଚନା ଯୋଗ୍ୟ, ଖନ୍ଦୋଳ ଠାରୁ ଝାଡେଶ୍ଵରପୁର ଭାୟା ଉମର ରାସ୍ତା ପ୍ୟାକେଜ୍ ନଂ ଓଆର୍୧୩-୩୬୩ ରାସ୍ତାର ଦୈର୍ଘ୍ୟ ୯.୪୦୦ କି.ମି. ନିର୍ମାଣ ଅଟକଳ ୬୨୨.୪୧ ଲକ୍ଷ, କାର୍ଯ୍ୟଆରମ୍ଭ ୯/୯/୨୦୨୨ରିଖ, କାର୍ଯ୍ୟଶେଷ ୮/୮/୨୦୨୩ରିଖ ଉଲ୍ଲେଖ ରହିଥିଲା ବେଳେ ମାହାଙ୍ଗାର ବିଧାୟକ ପ୍ରତାପ ଜେନା ରାସ୍ତା ନିର୍ମାଣ କାର୍ଯ୍ୟର ୩ ମାସ ପରେ ଅର୍ଥାତ୍ ୨୯/୧୨/୨୦୨୨ରିଖରେ ଉକ୍ତ ରାସ୍ତାର ଶିଳାନ୍ୟାସ କରିଥିଲେ । ଏହି ରାସ୍ତା କାର୍ଯ୍ୟ ସରକାରୀ ନିୟମାନୁଯାୟୀ ହୋଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରିକି କେତେକ ସ୍ଥାନରେ ରାସ୍ତା ପିଚୁକାର୍ଯ୍ୟ ହେବାର ୭ ଦିନ ମଧ୍ୟରେ ପିଚୁ ଫାଟିଯିବା ଘଟଣା ଲୋକେ ଭୁଲି ନଥିଲା ବେଳେ ଏବେ ବାଲିଚକା ବଜାର ଠାରୁ ଝାଡେଶ୍ଵରପୁର ଗୁଡିଆସାହି ପର୍ଯ୍ୟନ୍ତ ପିଚୁ ରାସ୍ତାକୁ ଠିକାଦାର ତାଡିଦେବା ଫଳରେ ସାଧାରଣ ଲୋକଙ୍କ ଯାତାୟତରେ ନାହିଁ ନଥିବା ସମସ୍ୟା ଉପୁଜୁଛି । ରାସ୍ତା ନିର୍ମାଣର ଅବଧି ଶେଷ ହେଲାଣି, କିନ୍ତୁ ସରୁନି ରାସ୍ତା କାର୍ଯ୍ୟ । ବିଭାଗୀୟ ଯନ୍ତ୍ରୀଙ୍କ ଅପାରଗତା ପାଇଁ ସାଧାରଣ ଜନତା ଏବେ ହଇରାଣ ହେଉଛନ୍ତି । ଅପରପକ୍ଷରେ ତଡାଯାଇଥିବା ପିଚୁରାସ୍ତା ଉପରେ କେବଳ ଚିପ୍ସ ଡସ୍ଟ ସ୍ଥାନେ ସ୍ଥାନେ ଗଦା କରାଯାଇଛି । ଫଳରେ ସାଧାରଣ ଲୋକ, ସାଇକେଲ୍ ଓ ମୋଟରସାଇକେଲ ଆରୋହୀ ଏପରିକି ଚାରିଚକିଆ ଯାନ ଗୁଡ଼ିକ ଯାତାୟତରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । କାହା ସ୍ଵାର୍ଥରେ ଚାଲିଛି ରାସ୍ତାକାର୍ଯ୍ୟ ନିର୍ମାଣ । ତୁରନ୍ତ ସମ୍ପୃକ୍ତ ଠିକାଦାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତଡାଯାଇଥିବା ରାସ୍ତା କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବି ହେଉଛି ।
Related Stories
November 22, 2024