ଭୁବନେଶ୍ୱର, ଭୁବନେଶ୍ୱରରେ ଗେଲ ଇଣ୍ଡିଆର ପ୍ରାକୃତିକ ଗ୍ୟାସ ପାଇପଲାଇନ ଦ୍ୱାରା ନାଗରିକମାନେ ପାଉଥିବା ସୁବିଧା ଜାଣିବା ପାଇଁ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ଅନନ୍ତବିହାରର ଲାଭାର୍ଥୀ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଶୋକ ପ୍ରଧାନ ଘରକୁ ଯାଇ ଚା’ ପିଇ ଆଲୋଚନା କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୮ ଅକ୍ଟୋବରରେ ଭୁବନେଶ୍ୱରରେ ଗେଲ୍ ଦ୍ୱାରା ଘରେ ଘରେ ପିଇବା ପାଣି ଭଳି ପାଇପ ଯୋଗେ ଅତ୍ୟାଧୁନିକ ଶୈଳୀରେ ଗ୍ୟାସ ପହଂଚାଇବା ଭଳି ଯୋଜନା ଆରମ୍ଭ ହୋଇଥିଲା । ଘରେ ଘରେ ପାଇପଲାଇନ କାମ ଜାଣିବା ପାଇଁ ଅନନ୍ତବିହାର ସ୍ଥିତ ଲାଭାର୍ଥୀ ଅଶୋକ ପ୍ରଧାନଙ୍କ ଘରକୁ ଚା’ ପିଇବା ପାଇଁ ଆସିଥିଲି । ସେ ତାଙ୍କ ଘରେ ୧୫ ଦିନ ହେବ ପିଏନଜି ଗ୍ୟାସ କନେକ୍ସନ କରିଛନ୍ତି । ଭୁବନେଶ୍ୱରରେ ପାଇପଲାଇନରେ ରନ୍ଧନ ଗ୍ୟାସ ଆସିବା କାରଣରୁ ସେମାନେ ଖୁସିବ୍ୟକ୍ତ କରିବା ସହ ବେଶ୍ ଉପକୃତ ହେଉଥିବା କହିଛନ୍ତି ।
ପାଇନଲାଇନରେ ଆସୁଥିବା ଗ୍ୟାସ ଅନ୍ୟ ଇନ୍ଧନ ଠାରୁ ଢେର୍ ମାତ୍ରାରେ ଶସ୍ତା ଓ ସୁବିଧାଜନକ । ପ୍ରଧାନମନ୍ତ୍ରୀଙ୍କ ନାଗରିକଙ୍କ ଇଜ୍ ଅଫ୍ ଲିଭିଂ ବା ସହଜ ଜୀବନଯାପନ ପ୍ରଣାଳୀ କରିବା ଦିଗରେ ଏହା ଏକ ବଡ ଉଦାହରଣ । କାରଣ ଏହି ସୁବିଧା ଦ୍ୱାରା ଗ୍ୟାସ ବୁକିଂ, ଡେଲିଭରି କରିବାର ସମସ୍ୟା ନାହିଁ । ଇଲେକ୍ଟ୍ରି ଓ ପାନୀୟ ଜଳ ଭଳି ଏହା ମଧ୍ୟ ସାଧାରଣ ସୁବିଧା ।
କଟକ ଓ ଭୁବନେଶ୍ୱରରେ ପ୍ରାୟ ୫୦ ହଜାର ଘରେ ଗ୍ୟାସ ପାଇପଲାଇନ ସଂଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପଲାଇନ କାମ ଶେଷ ହୋଇଛି । ଏହା ଭାରତ ସରକାରଙ୍କ ମହତ୍ୱାକାଂକ୍ଷୀ କାମ । ଓଡ଼ିଶାରେ ନାଗରିକଙ୍କ ସୁବିଧା ପାଇଁ ଅଧା ଜିଲ୍ଲାରେ ପାଇପ ଯୋଗେ ଗ୍ୟାସର ସୁବିଧା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।