ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୭ ଅଗଷ୍ଟ ୨୦୨୩ରେ ଏହାର ପରିସରରେ ଛାତ୍ରଛାତ୍ରୀ ଓ ଗବେଷକ, ବିଶେଷ କରି ନବାଗତମାନଙ୍କ ପାଇଁ ଏକ ପ୍ରେରଣାଦାୟକ ବକ୍ତୃତା ଅନୁଷ୍ଠିତ ହୋଇଥିଲା। ଏଫ୍ ଏମ୍ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଶିକ୍ଷା ମାଧ୍ୟମରେ ସଫଳତା: ଭାରତରେ କିପରି ହାସଲ କରିବେ’ ଶୀର୍ଷକ ବକ୍ତୃତା ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ନୂତନ ଦକ୍ଷତା ହାସଲ, ସୃଜନଶୀଳତା ବୃଦ୍ଧି, ଭୟ ଓ ଆଶଙ୍କା ହ୍ରାସ କରିବା ଏବଂ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିବାରେ ସହାୟକ ହେବ । ଏହା ଦ୍ୱାରା ଆମର ଛାତ୍ରମାନେ ଉତ୍ତମ ନାଗରିକ ହେବେ ଏବଂ ଆମ ଦେଶ ତଥା ବିଶ୍ୱର ବିକାଶ ପ୍ରକ୍ରିୟାରେ ପ୍ରମୁଖ ଯୋଗଦାନ ଦେବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପଳିତା କାର୍ଯ୍ୟକ୍ରମ ପରିଚାଳନା କରି ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭାଷା ବିଦ୍ୟାଳୟର ଡିନ୍ ତଥା ଭାରପ୍ରାପ୍ତ କୁଳ ସଚିବ ଓ ବିତତ ଅଧିକାରୀ ପ୍ରଫେସର ଏନ୍ ସି ପଣ୍ଡା ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ।
ପ୍ରଫେସର ଅଧିକାରୀ ଅନେକ ବିଶିଷ୍ଟ ବୈଜ୍ଞାନିକ, ଶିକ୍ଷାବିତ୍, ନୋବେଲ ବିଜେତା, ସାମାଜିକ ଚିନ୍ତକ ଏବଂ ନେତାଙ୍କ ଜୀବନ, ସଫଳତା ଏବଂ ଅବଦାନ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟକ୍ତି ହେବା ପାଇଁ ପ୍ରେରଣା ଦେଇଥିଲେ। ସେ କହିଥିଲେ ଯେ, “ଖ୍ରୀଷ୍ଟପୂର୍ବ ୭୦୦ ରେ ତକ୍ଷଶୀଳା ଠାରେ ବିଶ୍ୱର ପ୍ରଥମ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ସମଗ୍ର ବିଶ୍ୱରୁ ୧୦,୫୦୦ରୁ ଅଧିକ ଛାତ୍ରଛାତ୍ରୀ ୬୦ରୁ ଅଧିକ ବିଷୟରେ ଅଧ୍ୟୟନ କରୁଥିଲେ। ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ନିର୍ମିତ ନାଳନ୍ଦା ବିଶ୍ୱବିଦ୍ୟାଳୟ ସେହି ସମୟରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଥିଲା । ତେଣୁ ଭାରତ ହେଉଛି ମାନବ ଜାତିର ସୋପାନ, ମାନବ ଭାଷା ଜନ୍ମସ୍ଥାନ, ଇତିହାସର ମା’ , କିମ୍ବଦନ୍ତୀର ଏବଂ ସଂସ୍କୃତିର ଜେଜେମା । ବିଶ୍ୱର ଭବିଷ୍ୟତ କର୍ମଶକ୍ତି ସମ୍ପର୍କରେ ତଥ୍ୟ ପ୍ରଦାନ କରି ସେ କହିଥିଲେ, ବିଶ୍ୱର ସର୍ବବୃହତ ଆମ ଦେଶ ୮୦ କୋଟି ଯୁବକ ଯଦି ଆବଶ୍ୟକ ଦକ୍ଷତା ହାସଲ କରନ୍ତି ତେବେ ସେମାନେ ନିକଟ ଭବିଷ୍ୟତରେ ସମଗ୍ର ବିଶ୍ୱର ନେତୃତ୍ୱ ନେଇପାରିବେ। ଜୀବନରେ ଭଲ ସୁଯୋଗ ପାଇବା, ସଫଳ ହେବା ଓ ଲକ୍ଷ୍ୟ ହାସଲ କରିବା, ନିଜକୁ ଓ ସମାଜରେ ପରିବର୍ତନ ଆଣିବା ଏବଂ ନିଜ, ସମାଜ ଓ ରାଷ୍ଟ୍ର ଗଠନ ଓ ବିକାଶ ପାଇଁ ଆବଶ୍ୟକତା ଅନୁଯାୟୀ ଦକ୍ଷତା ଅର୍ଜନ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ପ୍ରଫେସର ଏସ୍ କେ ପଳିତା କୃଷି, ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରଗତି ପଥରେ ଆମ ଦେଶର ବିଭିନ୍ନ ଉପଲବ୍ଧି ଉପସ୍ଥାପନ କରିଥିଲେ। ଦେଶର ଏହି ପ୍ରଗତି ପଥରେ ଉତ୍ତମ ଶିକ୍ଷା ଗ୍ରହଣ କରିବା, ଉତ୍ତମ ଜ୍ଞାନ ଓ ଦକ୍ଷତା ଅର୍ଜନ କରିବା ସହ ଉତ୍ତମ ଯୋଗଦାନ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଫେସର ପଣ୍ଡା ମହାନ ବ୍ୟକ୍ତିଙ୍କ ବିଭିନ୍ନ ଉଦାହରଣ ଦେଇ ନିଜର ମୂଲ୍ୟବାନ ସମୟକୁ ଉନ୍ନତ କ୍ୟାରିୟର ପାଇଁ ଶିକ୍ଷା ଓ ଗବେଷଣାରେ ବ୍ୟବହାର କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷାବିତ୍ ଉପଦେଷ୍ଟା ପ୍ରଫେସର ସୁଧେନ୍ଦୁ ମଣ୍ଡଳ ମହାନ ଭାରତୀୟ ନାରୀ ବ୍ୟକ୍ତିତ୍ୱଙ୍କ ଅବଦାନ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କୁ ଅନୁସରଣ କରି ଭବିଷ୍ୟତରେ ଦେଶର ନେତୃତ୍ୱ ନେବାକୁ ପ୍ରେରଣା ଦେଇଥିଲେ।
ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରୀ ସୁଶ୍ରୀ ସୃଷ୍ଟି ମୁଖାର୍ଜୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ସାମ୍ବାଦିକତା ଏବଂ ଗଣଯୋଗାଯୋଗର ଛାତ୍ରମାନେ କାର୍ଯ୍ୟକ୍ରମର ଭିଡିଓ ଏବଂ ଫଟୋ କଭରେଜ୍ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଡ. ଫଗୁନାଥ ଭୋଇ, ଜନସମ୍ପର୍କ ଅଧିକାରୀ
Related Stories
November 23, 2024