
ଚମ୍ପୁଆ, ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଚମ୍ପୁଆ ବ୍ଲକ ଭଣ୍ଡା ଡାକ୍ତରଖାନା ପରିସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଭରସା ପରିବାର ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଚମ୍ପୁଆ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତଙ୍କ ଆହ୍ବାନକ୍ରମେ ଚମ୍ପୁଆ ଉପଖଣ୍ଡ ସଭାପତି ହେମନ୍ତ କୁମାର ମହାନ୍ତ, ଚମ୍ପୁଆ ବ୍ଲକ ସଭାପତି ପିଣ୍ଟୁ ମହାରଣା ଓ ସମ୍ପାଦକ ବୃଷଭ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତଦାନ କାର୍ଯ୍ଯ ଶାନ୍ତିଶୃଙ୍ଖଳାର ସହିତ ହୋଇଥିଲା । ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଦଳବଳ ନିର୍ବିଶେଷରେ ଆଞ୍ଚଳିକ ସମସ୍ତ ରକ୍ତଦାତା ସ୍ବେଛାକୃତଭାବେ ରକ୍ତଦାନ କରିଥିବାର ଦେଖିବାକୁ ମିଳିଥିଲା । ଭଣ୍ଡା ମେଡ଼ିକାଲ ଅଧିକାରୀ କାର୍ଯ୍ଯରତଥିବା ଡାକ୍ତର ଦୀପକ କୁମାର ସାହୁ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ । ଚମ୍ପୁଆ ରକ୍ତଭଣ୍ଡାର ଅଧିକାରୀ ଜ୍ୟୋତିରଂଜନ ମଲ୍ଲିକ ଏବଂ ରକ୍ତଭଣ୍ଡାରର ଅନ୍ୟାନ୍ୟ କର୍ମଚାରୀ ରକ୍ତ ସଂଗ୍ରହ କାର୍ଯ୍ଯ ସମ୍ପାଦନ କରିଥିଲେ । ସମୁଦାୟ ୪୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଭଣ୍ଡା ଅଞ୍ଚଳରେ ଅଦ୍ୟାବଧି ଏହା ସର୍ବାଧିକ ଅଙ୍କ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମତପ୍ରକାଶ କରିଥିଲେ । ଆଞ୍ଚଳିକ ସମାଜସେବୀ ମାନସ କୁମାର ମହାନ୍ତ ଓ ଭଣ୍ଡା ସରପଞ୍ଚ ନୟନ ନାଏକ ରକ୍ତଦାନ କରିବା ସହିତ ପରିଚାଳନା କାର୍ଯ୍ଯରେ ସହଯୋଗ କରିଥିଲେ । ଭରସା ପରିବାରର କାର୍ଯ୍ଯକୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଥିଲେ ।/