ନୂଆଦିଲ୍ଲୀ, ନେହେରୁ ମେମୋରିଆଲ୍ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାଁ ବଦଳାଇବାକୁ ବିରୋଧ କରିଛି କଂଗ୍ରେସ । ଏହି ମ୍ୟୁଜିୟମର ନାଁ ବଦଳାଯାଇ ଏବେ ପ୍ରଧାନମନ୍ତ୍ରୀ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ରଖାଯାଇଛି । ଯାହାକୁ ବିରୋଧ କରିଛି କଂଗ୍ରେସ ।
କଂଗ୍ରେସର ବରିଷ୍ଠ ନେତା ଜୟରାମ ରମୋ ବୁଧବାର ଟ୍ୱିଟ କରି କହିଛନ୍ତି ଯେ, ବିଶ୍ୱ ପ୍ରସିଦ୍ଧ ନେହେରୁ ମେମୋରିଆଲ ମ୍ୟୁଜିୟମ ଏଣ୍ଡ ଲାଇବ୍ରେରୀ (ଏନଏମଏମଏଲ)ର ନାଁ ବଦଳାଯାଇ ପ୍ରଧାନମନ୍ତ୍ରୀ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ (ପିଏମଏମଏଲ) ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟ,ହୀନଭାବନା ଓ ଅସୁରକ୍ଷିତ ଥିବା ଭଳି ଲାଗୁଛନ୍ତି । ଜବାହାରଲାଲ ନେହେରୁ ସର୍ବପ୍ରଥମ ପ୍ରଧାନମନ୍ତ୍ରୀ ଓ ଦୀର୍ଘସମୟ ଧରି ସେ ଲୋକଙ୍କ ସେବା କରିଥିଲେ । ନେହେରୁ, ନେହେରୁବାଦୀ ସାମ୍ରାଜ୍ୟକୁ ଭୁଲ ଦର୍ଶାଇବା, ବଦନାମ୍ କରିବା , ବିକୃତ ଭାବେ ଦର୍ଶାଇବା ଓ ନଷ୍ଟ କରିବା ହେଉଛି ମୋଦିଙ୍କ ଏକମାତ୍ର ଏଜେଣ୍ଡା ବୋଲି କହିଛନ୍ତି ଜୟରାମ ରମେଶ ।
ସ୍ୱାଧୀନତା ସଂଗ୍ରାମରେ ନେହେରୁଙ୍କର ବଡ ଯୋଗଦାନ ରହିଥିଲା । ଭାରତର ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ବୈଜ୍ଞାନିକ ଓ ଉଦାରବାଦୀ ମୂଳଦୁଆ ପକାଇବାରେ ତାଙ୍କ ଉପଲବ୍ଧିକୁ ଆମେ କେବେବି ତୁଚ୍ଛ କରିପାରିବୁ ନାହିଁ । ମୋଦି ସରକାର ବାରମ୍ବାର ନେହେରୁଙ୍କ ସାମ୍ରାଜ୍ୟ ଉପରେ ଆକ୍ରମଣ କଲେ ମଧ୍ୟ ଜବାହାରଲାଲ ନେହେରୁଙ୍କ ସାମ୍ରାଜ୍ୟ ସର୍ବଦା ଦୁନିଆ ନିକଟରେ ଜୀବିତ ରହିବ ଏବଂ ଆଗାମୀ ପୀଢିକୁ ପ୍ରେରଣା ଯୋଗାଉଥିବ ।