ଭୁବନେଶ୍ୱର, ଦଶ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ସିଡିପିଓ ସୁନନ୍ଦା ଦାସ । ଏହାସହ ଆଇସିଡିଏସ୍ ସୁପରଭାଇଜର ସୁଲୋଚନା ବେହେରାଙ୍କୁ ଭିଜିଲାନ୍ସ ଅଟକ ରଖିଛି ।
ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଇତିଶ୍ରୀ ସେଠୀଙ୍କୁ ଅଙ୍ଗନବାଡୀ କର୍ମୀ ଭାବେ ନିଯୁକ୍ତି ଦେବା ପାଇଁ ସିଡିପିଓ ପଚାଶ ହଜାର ଟଙ୍କା ଲାଂଚ ମାଗିଥିଲେ । ସେହି ଅନୁଯାୟୀ ଅଭିଯୋଗକାରିଣୀଙ୍କ ଦାଦା ବୁଧବାର ଦଶ ହଜାର ଟଙ୍କା ଦେବାକୁ ପହଂଚିଥିଲେ । ବୁଧବାର ପୂର୍ବାହ୍ନରେ ଭଦ୍ରକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଭଦ୍ରକ ସିଡିପିଓ ସୁନନ୍ଦା ଦାସ ସୁପରଭାଇଜର ସୁଲୋଚନା ବେହେରାଙ୍କ ଜରିଆରେ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ତାଙ୍କ ଠାରୁ ଲାଂଚ ଟଙ୍କା ଉଦ୍ଧାର କରାଯାଇଥିବା ବେଳେ ଉଭୟଙ୍କୁ ଅଟକ ରଖାଯାଇଛି । ଘଟଣା ପରେ ସିଡିପିଓ ଶ୍ରୀମତୀ ଦାସଙ୍କ ୩ ଟି ଠିକଣାରେ ଓ ସୁପରଭାଇଜର ଶ୍ରୀମତୀ ବେହେରାଙ୍କ ୨ ଟି ଠିକଣାରେ ଭିଜିଲାନ୍ସ ଚଢାଉ କରାଯାଇଛି ।