-
ଯୁବପିଢୀ କର୍ତ୍ତବ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ଲକ୍ଷ୍ଯଚ୍ଯୁତ ନହୋଇ ଆଗକୁ ବଢନ୍ତୁ
ପୁରୀ,ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ନେହେରୁ ଯୁବା କେନ୍ଦ୍ର ଓ ସଂପର୍କ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ” ଯୁବା ସମ୍ବାଦ – ୨୦୪୭ ଶୀର୍ଷକ ଆଲୋଚନା ଚକ୍ର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର୍ ଶତୃଘ୍ନ ପାଣିଗ୍ରାହି ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ଓ ପୌର ନିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବକ୍ତା ଭାବେ ଯୁବ ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ,ଡ. ରାକେଶ କୁମାର ମିଶ୍ର ଏବଂ ଆଦିତ୍ୟ ବାହିନୀର ପ୍ରାନ୍ତ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ଯୁବପୀଢ଼ିଙ୍କୁ ମାର୍ଗ ଦର୍ଶନ କରିଥିଲେ ।
ବକ୍ତା ମାନେ ଯୁବ ସମ୍ବାଦର ପ୍ରମୁଖ ଆଧାର ଯଥା ବିକଶିତ ଭାରତ, ଦୁର୍ବଳ ମାନସିକତାରୁ ମୁକ୍ତି, ଗୌରବଶାଳୀ ଅତୀତର ଗର୍ବ ଓ ଏକତା ଏବଂ ଭାରତୀୟ ନାଗରିକଙ୍କ ଦାୟିତ୍ଵ ଉପରେ ମତବ୍ଯକ୍ତ କରି କହିଲେ ଯେ, ଯୁବ ସମାଜ ଦେଶର ଭବିଷ୍ୟତ । ନିଜ ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେଲେ ଭାରତ ଏକ ସମୃଦ୍ଧ ରାଷ୍ଟ୍ର ହୋଇପାରିବ । ନିଜ ଗୌରବମୟ ଇତିହାସକୁ ଜାଣନ୍ତୁ । ସ୍ବାଧିନତାର ରାଷ୍ଟ୍ର ଯଜ୍ଞରେ ସହିଦ ହୋଇଥିବା ମହାତ୍ମାଙ୍କୁ ମନେ ପକାନ୍ତୁ । ରାଷ୍ଟ୍ର ନିର୍ମାଣ ସଂକଳ୍ପ ନିଅନ୍ତୁ । ଭାରତର ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରନ୍ତୁ । ଅଖଣ୍ଡ ଭାରତର ପରିକଳ୍ପନା ଯୁବକ ମାନଙ୍କ ହାତରେ ନ୍ୟସ୍ତ ଅଛି । ପ୍ରଲୋଭିତ ନ ହୋଇ ଆଗେଇ ଚାଲିଲେ ରାଷ୍ଟ୍ରର କଲ୍ୟାଣ ହେବ ।
ଭାରତୀୟ ସଂସ୍କୃତି ବିଶ୍ୱକୁ ମାର୍ଗଦର୍ଶନ କରୁଛି । ବିବିଧତା ଭରା ଭାରତ ବର୍ଷର ଏକତା ହେଉଛି ପରିଚୟ । ସ୍ୱାଧୀନତାର ଅମୃତ୍ କାଳରେ ଭାରତ ସମୃଦ୍ଧିର ବର୍ଷ ହେଉ । ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ବୈଜ୍ଞାନିକ ଦୃଷ୍ଟିରୁ ଦେଶ ପ୍ରଗତି ପଥରେ ସୁଦୃଢ଼ ହେଉଛି । ଭବିଷ୍ୟତର ଯୁବ ସମାଜ ଉପରେ ରାଷ୍ଟ୍ରର ପ୍ରଗତି ସମୃଦ୍ଧ ନିର୍ଭର କରେ । ଯୁବ ସମାଜ ଅଧୈର୍ଯ୍ୟ ହେବା କଥା ନୁହେଁ । ଲକ୍ଷ ସ୍ଥିର ରଖି ସଫଳତା ପାଇବା ପାଇଁ ପ୍ରଚେଷ୍ଟା ଜାରି ରଖ । ପଥଭ୍ରଷ୍ଟ ନ ହୋଇ ନିଜ ଦାୟିତ୍ଵ ପ୍ରତି ସଚେତନ ରହିବାକୁ ହେବ । ଭାରତ ବିଶ୍ବକୁ ବସୁଧୈବ କୁଟୁମ୍ବକମ୍, ସର୍ବେ ଭବନ୍ତୁ ଶୁଖିନଃ ବାର୍ତ୍ତା ଦେଇ ଆସୁଛି। ଏକ ଭାରତ ଶ୍ରେଷ୍ଠ ଭାରତ ଲକ୍ଷ୍ଯ ନେଇ ଯୁବ ସମାଜ ରାଷ୍ଟ୍ର ନିର୍ମାଣ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।
ସଂପର୍କ ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଧ୍ୟାପିକା ସସ୍ମିତା ବନ୍ଦର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଯୋଶୀ ଯୁବ ସମ୍ବାଦ କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି ମାନେ ଛାତ୍ରୀଛାତ୍ର ଙ୍କୁ ଅମୃତ ମହୋତ୍ସବର ପଞ୍ଚପ୍ରାଣ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବାସୁଦେବ ସେନାପତି, କୃଷ୍ଣଚନ୍ଦ୍ର ସାହୁ, ଶିବ ଶଙ୍କର ବିହାରୀ, ଲୋକନାଥ ପାତ୍ର, ରାକେଶ ସ୍ବାଇଁ, ଅଙ୍କିତ ଅନମୋଲ୍ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ଯାପକ, ପ୍ରାଧ୍ଯାପକ ସମେତ ତିନି ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।