
କେନ୍ଦ୍ରାପଡ଼ା, ଡେରାବିଶ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ଡେରାବିଶ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମିଳିତ ମଂଚର ସଭାପତି ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ସମ୍ପାଦକ ସେକ୍ ବରକାତୁଲ୍ଲା ବୈଠକକୁ ପରିଚାଳନା କରିଥିଲେ । ନିଖିଳ ଉତ୍କଳ ପ୍ରାଥମିକ ମହାସଂଘ(ଏୟୁପିଟିଏଫ୍)ର ଆହ୍ୱାନରେ ହେବାକୁ ଥିବା ସମୂହ ଛୁଟି ଆନ୍ଦୋଳନକୁ ଶତ ପ୍ରତିଶତ ସଫଳତା ହାସଲ କରିବା ପାଇଁ ବ୍ଲକର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଦସ୍ତଖତ ଅଭିଯାନକୁ ତର୍ଜମା କରି ତ୍ୱରାନ୍ୱିତ କରିବାକୁ ସ୍ଥିର ହେଲା । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେଲେ ବ୍ଲକରେ ପଢୁଥିବା ୧ମ ରୁ ୮ମ ଶ୍ରେଣୀ ଯାଏଁ ପ୍ରାୟ ୧୪ ହଜାର ଛାତ୍ରଛାତ୍ରୀଙ୍କ ବହିବସ୍ତାନିରେ କୋଲପ ପଡିବା ସମ୍ଭାବନା ସୃଷ୍ଟି ହୋଇଛି । ଏହି ପରିସ୍ଥିତି ନ ଉପୁଜୁ ଏଥିପାଇଁ ବ୍ଲକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷକମାନଙ୍କ ତରଫରୁ ବାରମ୍ବାର ଲିଖିତ ଦାବିପତ୍ର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ଶିକ୍ଷା ସଚିବଙ୍କୁ ଅବଗତ କରାଯାଇଛି ।