
ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ୭୭ତମ ପବିତ୍ର ସ୍ୱାଧୀନତା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅତୁଲ୍ୟ ନେତୃତ୍ୱ ଏବଂ ଅଗଣିତ ସ୍ୱାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀଙ୍କର ତ୍ୟାଗ ଓ ବଳିଦାନପାଇଁ ଆମେ ସ୍ୱାଧୀନତା ପ୍ରାପ୍ତ ହୋଇଛେ । ବ୍ରିଟିଶ ଠାରୁ ଦେଶକୁ ମୁକୁଳାଇବା ପାଇଁ ଯେଉଁ ମହା ମନୀଷିମାନେ ଜୀବନ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ଜବାହରଲାଲ ନେହେରୁ, ମୌଲାନା ଆବୁଲ କାଲାମ ଆଜାଦ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରଭୃତିଙ୍କ ତ୍ୟାଗର ପଟାନ୍ତର ନାହିଁ । ଓଡ଼ିଶାର ଐତିହ୍ୟ, ପରମ୍ପରାକୁ ଫେରାଇ ଆଣି ରାଜ୍ୟକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାପାଇଁ ଜନସାଧାରଣ ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସକୁ ସେବା କରିବାପାଇଁ ସୁଯୋଗ ଦେବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ । ବିଜେଡ଼ି ଓ ବିଜେପିର ପ୍ରୀତି ଏବଂ ଭିତିରି ବୁଝାମଣା ଆଜି ପଦାରେ ପଡ଼ିଯାଇଛି । ଦୁଇ ସରକାର ଏବଂ ଦୁଇଟି ଦଳ ଜନସାଧାରଣଙ୍କ ଆଗରେ ଅଭିନୟ କରୁଛନ୍ତି । ଜନଉତ୍ପୀଡ଼ନ, ଲୁଣ୍ଠନ, ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକୁ ବେନିୟମ ଭାବରେ ଦଖଲ କରିବା, ଏଇ ଦୁଇ ସରକାରର ମୁଖ୍ୟ ନୀତି ହୋଇଛି । ଆଜି ଆମ ସମସ୍ତଙ୍କର ଏକ ସଂକଳ୍ପର ଦିବସ, ଅମାର ମହାମନୀଷିମାନେ ସ୍ୱାଧନତାପରେ ଯେଉଁ ଭାରତବର୍ଷର ପରିକଳ୍ପନା କରିଥିଲେ ତାହାକୁ ସାକାର କରିବାକୁ ଆମେ ଶପଥ ନେବା ଏବଂ ଏହାର ରୂପାୟନ ପାଇଁ କାର୍ଯ୍ୟ କରିବା ।
ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ଶ୍ରୀ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ । ପରେ ପରିସରରେ ଥିବା ମହାମନୀଷିମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ କାହ୍ନୁ ଚରଣ ଲେଙ୍କା, ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ରବିନ୍ଦ୍ର କୁମାର ସେଠୀ, ନବୀନଚନ୍ଦ୍ର ନାରାୟଣ ଦାସ, ଯୁଧିଷ୍ଠୀର ଜେନା, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ଡ. ଲଲାଟେନ୍ଦୁ ମହାପାତ୍ର, ମନୋରଞ୍ଜନ ଦାଶ, କୁମାର ଶ୍ରୀ ଚିରଞ୍ଜିବ, ରଶ୍ମି ମହାପାତ୍ର, ସଂଧ୍ୟା ମହାପାତ୍ର ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।