ଭଦ୍ରକ – ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ୯ଟି ଜିଳ୍ଲାରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ସର୍ବନିମ୍ନ ୨୫ ପ୍ରତିଶତ ପଞ୍ଚାୟତରେ ଧାନ କିଣିବାକୁ ସୁଯୋଗ ଦେବା ଓ ପ୍ରତ୍ୟେକ ପଞ୍ଚାୟତରେ ତାଲିମପ୍ରାପ୍ତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏଥିରେ ସାମିଲ କରିବାକୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ଓଡ଼ିଶା ସରକାରଙ୍କ ଚିଠି ସଂଖ୍ୟା-୯୬୩ ତା୧୯.୭.୨୦୧୯ ଏବଂ ଚିଠି ନଂ-୧୦୮୬, ତା୦୮.୦୮.୨୦୧୯ ମୂଳେ ମିଶନ ଶକ୍ତି ସଚିବ ଜିଲ୍ଲାପାଳ ଓ ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଏହା ବ୍ୟତୀତ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି ସଂଖ୍ୟା ୧୩୨୨ ତା୧୩.୯.୨୦୧୯ ମୂଳେ ସମସ୍ତ ଜିଲ୍ଲାପାଳ ଓ ସମାଜ ମଙ୍ଗଳ ଅଧିକାରୀଙ୍କୁ ଧାନ କ୍ରୟ ନିମନ୍ତେ ପ୍ରତ୍ୟେକ ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀ ଚୟନ କରି ଧାନ କିଣିବାକୁ ସୁଯୋଗ ଦେବାକୁ ଚିଠିରେ ଉଲ୍ଲେଖ ଥିଲାବେଳେ ସରକାରଙ୍କ ସମସ୍ତ ଆଦେଶନାମାକୁ ଭଦ୍ରକ ଜିଲ୍ଲାରେ ଉଲଂଘନ କରାଯାଇଛି ବୋଲି ଅଭିଯୋଗ କରି ଆଜି ବିଜେପି ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ବିଜେପି କୃଷକ ମୋର୍ଚ୍ଚା ଓ କେତେକ ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଆଜିଠାରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦାନ କିଣା ଆରମ୍ଭ ହୋଇଛି । ମାତ୍ର ଏହାର କାର୍ଯ୍ୟକାରିତା ଉପରେ ବିଜେପି ପ୍ରଶ୍ନ ଉଠାଇଛି । ଅନ୍ୟ ଜିଲ୍ଳାରେ ସରକାରୀ ନିର୍ଦ୍ଦେଶନାମାର ପାଳନ ହେଉଥିବା ବେଳେ ଭଦ୍ରକ ଜିଲ୍ଳା ପ୍ରଶାସନ ଏହାକୁ ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ଶ୍ରୀ ଧଳ କହିଛନ୍ତି । ଯେଉଁଥି ପାଇଁ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ପ୍ରଭାବିତ ହେବେ ବୋଲି କୁହାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶଙ୍କର୍ଷଣ ଜେନା, ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ମଙ୍ଗରାଜ ନାୟକ, ଜିଲ୍ଲା ବିଜେପି ଉପସଭାପତି ତପନ ମହାନ୍ତି, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦିପ୍ତ ବିଶ୍ୱାଳ, କୃଷକ ନେତା ଅଲେଖ ଦାସ, ମମତା ବେହେରାଙ୍କ ସମେତ କୁନ୍ତଳାଶୁଣି ସ୍ୱୟଂ ସହାୟିକା ଗୋଷ୍ଠୀ, ବୁଢ଼ା ବ୍ରାହ୍ମଣୀ ଏସ୍ଏସ୍ଜି, ମା ତାରିଣୀ ଏସ୍ଏସ୍ଜି, ସାଇରାମ ଏସ୍ଏସ୍ଜି, ଲକ୍ଷ୍ମୀନାରାୟଣ ଏସ୍ଏସ୍ଜି, ଅନନ୍ତ ଗୋପାଳ ଏସ୍ଏସ୍ଜି, ଦୋଳ ଗୋବିନ୍ଦ ମିଶନଶକ୍ତିର ସଭାନେତ୍ରୀ, ସମ୍ପାଦିକା, ସଦସ୍ୟାମାନେ ସାମିଲ ହୋଇ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଧାନ କିଣାରେ ସାମିଲ କରିବାକୁ ଦାବୀ ଜଣାଇବା ସହ ଦାବୀ ପୂରଣ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କୃଷକ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।
Related Stories
December 23, 2024