ପୁରୀ – ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷିଗୋପାଳ ସ୍ଥିତ ସାକ୍ଷୀଗୋପୀନାଥଙ୍କ ମନ୍ଦିରକୁ ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି । ତେବେ ସମ୍ପୃକ୍ତ ଅଂଚଳର ରାସ୍ତାଘାଟର ଅବସ୍ଥା ବର୍ଷାଦିନେ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ରାସ୍ତାର କେଉଁଠି ଆଣ୍ଠୁଏ ଖାଲ ତ କେଉଁଠୁ ଗୋଡି ଉଠିଗଲାଣି । ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ରାସ୍ତା ଅବସ୍ଥା ଦେଖି ଚିନ୍ତାରେ ପଡିଲେଣି । ସାକ୍ଷିଗୋପାଳ ବସଷ୍ଟାଣ୍ଡ ଠାରୁ ସାକ୍ଷୀଗୋପୀନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଏବଂ ମନ୍ଦିର ଠାରୁ ବନପୁର ଛକ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଅସରାଏ ବର୍ଷା ହେଲେ ସାକ୍ଷିଗୋପାଳ ବଜାରର ବିଭିନ୍ନ ସ୍ଥାନରେ ବର୍ଷାପାଣି ଜମି ରହିବା ସହ ଏହା କର୍ଦମାମୟ ହୋଇପଡୁଛି । ଏହାଦ୍ଵାରା ଯାନବାହନ ଚଳାଚଳ ଓ ପଥଚାରୀମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେହିପରି ଅସରାଏ ବର୍ଷା ହେଲେ ସାକ୍ଷିଗୋପାଳ ମନ୍ଦିର ଠାରୁ ବନପୁର ଛକ ଆଡକୁ ରାସ୍ତାର ପଂଚସଖା ପଡିଆ ସମ୍ମୁଖରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । ଯାହାଫଳରେ ଦୁଇଚକିଆ ଯାନ ତଥା ସାଇକେଲ, ମୋଟର ସାଇକେଲ ଏବଂ ପଥଚାରୀମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଲଗାଣ ବର୍ଷା ହେଲେ ସ୍ଥିତି ଆହୁରି ଜଟିଳ ହୋଇପଡୁଛି । ତେଣୁ ବଜାର ରାସ୍ତାର ଉଭୟ ପାର୍ଶ୍ଵରେ ତୁରନ୍ତ ଡ୍ରେନେଜ୍ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି ।
ଅନ୍ୟପକ୍ଷରେ ଏହି ରାସ୍ତାର ଶାରୁଗଡ଼ିଆ ଛକ ଠାରୁ ବନପୁର ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲୋକେ ଘର ତିଆରି ପାଇଁ ବାଲି, ମାଟି, ଗୋଡ଼ି, ମେଂଟାଲ ରାସ୍ତା କଡ଼ରେ ଜମା କରି ରଖୁଥିବା ବେଳେ ଏହା ଗଦାରୁ ଖସି ଖସି କ୍ରମଶଃ ରାସ୍ତା ଉପରକୁ ଚାଲି ଆସୁଥିବାରୁ ଦୁଇ ଚକିଆ ଓ ଚାରିଚକିଆ ଯାନ ଯାତାୟାତ ବେଳେ ଛୋଟ ବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତେଣୁ ସତ୍ୟବାଦୀ ବିଡ଼ିଓ, ଜିଲ୍ଲାପାଳ ଏବଂ ବିଧାୟକ ଏ ଦିଗରେ ଦୃଷ୍ଟି ଦେବା ସହ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଅଂଚଳର ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଦାବି ହେଉଛି ।