ପୁରୀ- ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୁପ୍ରିମକୋର୍ଟ ଦେଇଥିବା ୨୩ଟି ଆଦେଶନାମା ଉପରେ କି କି କାର୍ଯ୍ୟ କରାଯାଇଛି ଓ କ’ଣ କରାଯିବ ସେ ସଂପର୍କରେ ଆଲୋଚନା ହୋଇଥିଲା । କିଛିଦିନ ତଳେ ଶ୍ରୀମନ୍ଦିର ଦ୍ୱାରଫିଟାରେ ଅହେତୁକ ବିଳମ୍ବ ହେବ ଓ ଠାକୁର ବନ୍ଦ ହୋଇ ରହିବା ଘଟଣାକୁ ନେଇ କୋର୍ଟ କ୍ଷୁବ୍ଧ ହୋଇଥିଲେ । ସେ ସଂପର୍କରେ ତଦନ୍ତ କରାଯାଇ ତିନିଜଣ ସେବାୟତଙ୍କୁ ଜାନୁୟାରୀ ୪ ତାରିଖ ସୁଦ୍ଧା ଜଣାଇବା ପାଇଁ ଲିଖିତ ଆକାରରେ ଜଣାଇ ଦିଆଯାଇଛି । ଉତର ପାଇବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କିଶନ କୁମାର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜାନୁଆରୀ ୮ ତାରିଖ ସୁଦ୍ଧା ଶ୍ରୀମନ୍ଦିର ସଂସ୍କାର ସଂପର୍କରେ ରିପୋର୍ଟ ପ୍ରଦାନ କରାଯିବ । ଏହାସହ ଶଙ୍କରାଚାର୍ଯ୍ୟଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ନୀତି ସଂପର୍କରେ ସବିଶେଷ ଆଲୋଚନା କରାଯିବ । ଶାସ୍ତ୍ର ମତାନୁସାରେ କି କି ନୀତି, କେଉଁ ନୀତି କେତେବେଳେ ହେବ ସେ ସଂପର୍କରେ ଆଲୋଚନା କରାଯିବ । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଓ ମତାମତକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସତଚେଷ୍ଟା କରିବ । ମାନ୍ୟବର କୋର୍ଟ ସେବାୟତମାନଙ୍କ ଗୁରୁକୂଳ ବିଦ୍ୟାଳୟ ପାଇଁ ୫କୋଟି ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାଙ୍କରେ ଆକାଉଂଟ ଖୋଲାଯିବା ପରେ ରଖାଯିବ । ଏହାସହ ଯେଉଁ ଭକ୍ତମାନେ ଗୁରୁକୂଳକୁ ଦାନ କରିବେ ସେମାନେ ମଧ୍ୟ ସେହି ଆକାଉଂଟ ନମ୍ବରରେ ଡିପୋଜିଟ କରିପାରିବେ । ମାଟିତୋଟା ଠାରେ ଶ୍ରୀମନ୍ଦିର ପ୍ରଶାସନର ୧୫ ଏକର ଜମିରେ ଏହି ଗୁରୁକୂଳ ପ୍ରତିଷ୍ଠା କରାଯିବ । ଏହାକୁ ଚଳାଇବା ପାଇଁ ସ୍ୱତନ୍ତ୍ର ପରିଚାଳନା କମିଟି ଗଠନ କରାଯିବ । ଶ୍ରୀମନ୍ଦିରରେ ଭକ୍ତମାନଙ୍କ ସୁବିଧା ପାଇଁ କି କି ସୁବିଧା ନିଆଯାଇଛି ସେ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଧାଡି ଦର୍ଶନ ଓ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରଠାରେ ସେଡ୍ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଭକ୍ତଙ୍କ ଚପଲ, ମୋବାଇଲ, ବେଲ୍ଟ, ବ୍ୟାଗ୍ ରଖିବା ପାଇଁ ସ୍ଥାୟୀ ରଖିବା ସ୍ଥାନ ନିର୍ମିତ ହେବ । ଗୋଡ ଧୋଇବା ପାଇଁ ସୁବିଧା ଓ ଥଣ୍ଡା ପାନୀୟଜଳ ଭକ୍ତମାନଙ୍କୁ ଯୋଗାଇ ଦିଆଯିବ । ଧାଡି ଦର୍ଶନ ବ୍ୟବସ୍ଥାକୁ ସୁରୁଖୁରୁରେ ଚଳାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ଚାରିପଟ ସୁରକ୍ଷା ଜୋନ୍ରେ ସୌନ୍ଦର୍ଯ୍ୟକରଣ ପାଇଁ ସ୍ୱତନ୍ତ୍ର ଆର୍ଚିଟେକ୍ ନିଯୁକ୍ତ କରାଯାଇ ଡିଜାଇନ୍ ପ୍ରସ୍ତୁତ କରାଯିବ । ଭକ୍ତମାନଙ୍କ ରହଣୀ ପାଇଁ ସହର ଭିତରେ ଓ ସହରର ତଳି ଅଂଚଳରେ ୬ଟି ଭକ୍ତ ନିବାସ ନିର୍ମାଣ କରାଯିବ । ପ୍ରତି ଭକ୍ତ ନିବାସରେ ହଜାରେ କୋଠରୀ ନିର୍ମାଣ କରାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀକ୍ଷେତ୍ରରେ ୬୦ ହଜାର ଭକ୍ତଙ୍କ ରହଣି ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯିବାକୁ ବୈଠକରେ ନିଷ୍ପତି ହୋଇଥିଲା ।
ସେହିପରି ରୋଷଘର ଓ ଆନନ୍ଦବଜାର ଉନ୍ନତିକରଣ ପାଇଁ ଅନେକ ଯୋଜନା ହାତକୁ ନିଆଯାଇଛି । ରୋଷଘରର କିଛି ସ୍ଥାନରେ ପାଣି ଗଳୁଛି । ତାହାକୁ ମରାମତି କରିବା ପାଇଁ ଏଏସଆଇକୁ ଜଣାଇ ଦିଆଯିବ । ପରିଚାଳନା କମିଟି ସେବାୟତମାନଙ୍କ ପାଇଁ ପରିଚୟପତ୍ର ପ୍ରଦାନ କରିବ । ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଟଙ୍ଗା ଯିବ । ବ୍ୟାଙ୍କରେ ଥିବା ଶ୍ରୀମନ୍ଦିରର ସୁନା ଓ ରୂପାରୁ ମିଳୁଥିବା ସୁଧରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ । ସୁନା ଉପରେ ୩ ପ୍ରତିଶତ ସୁଧ ମିଳୁଛି । ଶ୍ରୀମନ୍ଦିର ପ୍ରଶାସନର ୩୬ହଜାର ଏକରର ଜମିପଟା ରହିଛି । ୬୦ ହଜାର ଏକର ଜମିର ପଟ୍ଟା ସଂଗ୍ରହ କରାଯାଉଛି । ଶ୍ରୀମନ୍ଦିରର ସମସ୍ତ ଜମିଜମାକୁ ଲ୍ୟାଣ୍ଡ ସବକମିଟି ଜରିଆରେ ରେକର୍ଡଭୁକ୍ତ କରାଯିବ । ଶ୍ରୀମନ୍ଦିର ସଂସ୍କାର ପାଇଁ ଅନେକଗୁଡିଏ ଯୋଜନା କାର୍ଯ୍ୟ ଚାଲୁରହିଛି । ଚୂଡ଼ାନ୍ତ ତାଲିକା ଜାନୁଆରୀ ମାସରେ ପ୍ରକାଶ କରାଯିବ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଗାଡି ପାର୍କିଂ ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ଓ ପୁରୁଣା ଜେଲରେ ବ୍ୟବସ୍ଥା କରାଯାଇଛି । ଏ ସଂପର୍କରେ ମାନ୍ୟବର କୋର୍ଟଙ୍କୁ ଜଣାଇ ଦିଆଯିବ । ଶ୍ରୀମନ୍ଦିରରୁ ବାହରୁଥିବା ବର୍ଜ୍ଜ୍ୟବସ୍ତୁର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ଚାରିପଟେ ସୁରକ୍ଷା ଜୋନ୍ ପାଇଁ ଉଚ୍ଛେଦ ହେଉଥିବା ମଠ ସମ୍ପତି ଗୁଡିକ ଶ୍ରୀଜଗନ୍ନାଥଙ୍କର । ଏହାସହ ଘରୋଇ ଜମିଗୁଡିକ ଦଖଲ କରାଯିବା ପରେ ସେଗୁଡିକ ଶ୍ରୀମନ୍ଦିର ନାମରେ ରେକର୍ଡଭୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଓ କୋର୍ଟକୁ ଜଣାଇ ଦିଆଯିବ । ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଏହି ଜମି ଅଧିଗ୍ରହଣ ହେଉଥିବାରୁ ଏହାର ରେକର୍ଡ ଶ୍ରୀଜଗନ୍ନାଥଙ୍କ ନାମରେ ରହିବା ଉଚିତ୍ ବୋଲି ମୁଖ୍ୟପ୍ରଶାସକ କହିଥିଲେ । ଏହାସହ ମନ୍ଦିର ଭିତରେ ଓ ବାହାରେ ଭକ୍ତମାନଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରାଯାଉଛି । ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଶ୍ରୀମନ୍ଦିର କାର୍ଯ୍ୟକାରୀ ସଭାପତି ସୁରେଶ ମହାପାତ୍ର, ଜିଲ୍ଲାପାଳ ବଲବନ୍ତ ସିଂ, ଏସପି ଡା. ଉମାଶଙ୍କର ଦାଶ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।