ଭୁବନେଶ୍ୱର – ଗତ ଏକ ସପ୍ତାହ ଧରି ସ୍ଥାୟୀ ନିଯୁକ୍ତି ଓ ପୁନଃ ଦରମା ଦାବିରେ ଆନ୍ଦୋଳନ ଚଳାଇ ଆସୁଥିବା ରାଜସ୍ୱ ଅତିରିକ୍ତ ଅସୁଲି ପିଅନ ସଂଘ ସହିତ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଲୋଚନା କରି ଖୁବ୍ ଶୀଘ୍ର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ସଂଘ ତରଫରୁ ଆସନ୍ତା ୧୫ ଦିନ ପାଇଁ ଆନ୍ଦୋଳନକୁ ଅସ୍ଥାୟୀ ଭାବେ ପ୍ରତ୍ୟାହାର କରାଗଲା ବୋଲି କୁହାଯାଇଛି । ଏଠାରେ ଉଲ୍ଲେଖନୀୟ ଯେ, ଅତିରିକ୍ତ ରାଜସ୍ୱ ଅସୁଲି ପିଅନ ସଂଘ ତା’ର ଦୁଇଦଫା ଦାବି ପୂରଣ ନେଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଆସୁଥିଲା । ସ୍ଥାୟୀ ନିଯୁକ୍ତି ସହ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ପୂର୍ଣ୍ଣ ଦରମା ପ୍ରଦାନ ଭଳି ଦୁଇଟି ଦାବି ପୂରଣ ପାଇଁ ସରକାରଙ୍କୁ ସଂଘ ତରଫରୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ସରକାର କୌଣସି କଥା ଶୁଣୁ ନଥିବାରୁ ବାଧ୍ୟହୋଇ ରାଜଧାନୀ ରାଜରାସ୍ତାକୁ ଆସିଲୁ ବୋଲି କହିଛନ୍ତି, ସଂଘର ରାଜ୍ୟସଭାପତି ପ୍ରମୋଦ କୁମାର ତାଣ୍ଡିଆ । ଓଡ଼ିଶାର ୩୦ଟି ଜିଲ୍ଲାରେ ଥିବା ସମସ୍ତ ତହସିଲ୍ ଓ ଆର.ଆଇ. ଅଫିସ୍ ମାନଙ୍କରେ ୧୯୯୦ ରୁ ୨୦୦୪ ପର୍ଯ୍ୟନ୍ତ ସୁଚାରୁ ରୂପେ କାର୍ଯ୍ୟକରିଆସୁଥିବା ଅତିରିକ୍ତ ରାଜସ୍ୱ ଅସୁଲି ପିଅନମାନଙ୍କୁ ସରକାର ବିନା କୌଣସି ନୋଟିସ୍ରେ ହଠାତ୍ ଛଟେଇ କରିଦେଲେ । ବର୍ତମାନ ମଧ୍ୟ ବିନା ବେତନରେ ସେମାନେ ତହସିଲ୍ ଓ ଆର.ଆଇ ଅଫିସ୍ ମାନଙ୍କରେ କାର୍ଯ୍ୟ କରିଆସୁଛନ୍ତି ଏବଂ ବହୁ ଆର୍ଥିକ ଅନାଟନରେ ରହି ନିଜ ପରିବାର ପ୍ରତିପୋଷଣରେ କରିବାରେ ଅକ୍ଷମ ହୋଇଥିବାରୁ ଏହି ଦୁଃଖ ଦୂର କରିବା ପାଇଁ ସରକାରଙ୍କୁ ବାରମ୍ବାର ଆମେ ଜଣାଇ ଆସୁଛୁ । ଆମ ପୂର୍ବରୁ ଯେଉଁ ଅତିରିକ୍ତ ରାଜସ୍ୱ ଅସୁଲି ପିଅନମାନେ ଥିଲେ ସେମାନଙ୍କୁ ସରକାର ୨୦୦୯ ମସିହାରେ ରେଗୁଲାର କରିଛନ୍ତି । ସେହି ଅନୁସାରେ ଆମକୁ ମଧ୍ୟ ସରକାର ପୁନଃ ନିଯୁକ୍ତି ଦେଇ ରେଗୁଲାର କରିବା ପାଇଁ ଦାବି କରୁଛୁ ବୋଲି କହିଛନ୍ତି ସଂଘର ସମ୍ପାଦକ ଅଶ୍ୱିନୀ କୁମାର ଦାସ । ଆଜି ଏହି ସମସ୍ୟା ଉପରେ ମାନ୍ୟବର ରାଜସ୍ୱମନ୍ତ୍ରୀଙ୍କୁ ଭେଟି ଆଲୋଚନା କରି ଆମ ଦୁଃଖ ଜଣାଇଥିଲୁ ଏବଂ ଦାବି ପୂରଣ ପାଇଁ ଗୁହାରି କରିଥିଲୁ । ମନ୍ତ୍ରୀ ଖୁବ୍ଶୀଘ୍ର ଆମ ଦାବି ଉପରେ ବିଚାର କରି ସଠିକ୍ ନିଷ୍ପତି ନେବେ ବୋଲି ପ୍ରତିଶ୍ରୁତି ଦେବାସହ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିବା ପରିପ୍ରେକ୍ଷୀରେ ସଂଘ ଆସନ୍ତା ୧୫ ଦିନ ପାଇଁ ଅସ୍ଥାୟୀ ଭାବେ ଆନ୍ଦୋଳନପ୍ରତାହାର କଲା ବୋଲି ଘୋଷଣା କରିଛନ୍ତି ସଂଘର ସଭାପତି ପ୍ରମୋଦ କୁମାର ତାଣ୍ଡିଆ ଏବଂ ଯଦି ସରକାର ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତାହେଲେ ସଂଘ ପୁନର୍ବାର ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନି ଦେଇଛନ୍ତି ସମ୍ପାଦକ ଅଶ୍ୱିନୀ କୁମାର ଦାସ ।