-
ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ପିଏମ ସ୍ୱନିଧି ଯୋଜନାର ପ୍ରଗତି ଓ ପ୍ରଦର୍ଶନ ସମୀକ୍ଷା
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.) – କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କେ କରାଡ଼ଙ୍କ ଅଧ୍ୟକ୍ଷତାରେ ଶନିବାର ଭୁବନେଶ୍ୱର ଠାରେ ଅର୍ଥ ମନ୍ତ୍ରଣାଳୟର ଆଂଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ପୂର୍ବ ଭାରତୀୟ ରାଜ୍ୟରେ ପିଏମ ସ୍ୱନିଧି ଯୋଜନାର ପ୍ରଗତି ଓ ରାଜ୍ୟମାନଙ୍କର ପ୍ରଦର୍ଶନ ସମୀକ୍ଷା କରାଯାଇଛି । ବିଶେଷ କରି ବ୍ୟାଙ୍କମାନଙ୍କ ଦ୍ୱାରା ଫେରାଇ ଦିଆଯାଇଥିବା ଆବେଦନଗୁଡ଼ିକର ସଂଖ୍ୟା ହ୍ରାସ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଏହି ବୈଠକରେ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଅନ୍ୟ ଅଧିକାରୀ, ବିଭିନ୍ନ ରାଜ୍ୟର ମହାନଗର ନିଗମ କମିଶନର ଓ ଏସଏଲବିସି ଆବାହକ, ବିଭିନ୍ନ ସରକାରୀ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ବ୍ୟାଙ୍କର ଆଂଚଳିକ ମୁଖ୍ୟ, ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ, ଅର୍ଥ ସେବା ବିଭାଗର ଯୁଗ୍ମ ସଚିବ, ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ ।
ଅର୍ଥ ରାଷ୍ଟ୍ର ମନ୍ତ୍ରୀ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ପିଏମ ସ୍ୱନିଧି ଯୋଜନା ଅଧୀନରେ ଋଣ ବିତରଣ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କେତେଦୂର ଅଗ୍ରଗତି କରିପାରିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଯୋଜନାର ସମୀକ୍ଷା କରିଥିଲେ ।
ବ୍ୟାଙ୍କମାନେ ଫେରାଇ ଦେଇଥିବା ଆବେଦନକୁ ସମୀକ୍ଷା କରିବା ନିମନ୍ତେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପୌର ପ୍ରଶାସନଗୁଡ଼ିକୁ ଅନୁରୋଧ କରିବା ସହିତ ଏସବୁ ଆବେଦନକୁ ସଂଶୋଧନ କରି ପୁନର୍ବାର ଋଣ ମଞ୍ଜୁରି ଓ ବିତରଣ ଲାଗି ଦାଖଲ କରିବାକୁ କହିଥିଲେ ।
ନିର୍ଦ୍ଧାରିତ ସମୟରେ ଋଣ ବିତରଣ ଲକ୍ଷ୍ୟ ହାସଲ ନିମନ୍ତେ ଶିବିର ଆୟୋଜନ କରିବା ଏବଂ ବ୍ୟାଙ୍କଗୁଡ଼ିକୁ ନୂଆ ଆବେଦନ କରିବାରେ ସହାୟତା ଯୋଗାଇ ଦେବା ଲାଗି ସବୁ ପୌର ପ୍ରଶାସନକୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରୋଧ କରିଥିଲେ । ପିଏମ ସ୍ୱନିଧି ଯୋଜନାର ଲକ୍ଷ୍ୟ ହାସଲ ନିମନ୍ତେ ପରସ୍ପର ମଧ୍ୟରେ ସମନ୍ୱୟ ସ୍ଥାପନ କରି କାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସବୁ ବ୍ୟାଙ୍କ ଓ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଉଠାଦୋକାନୀମାନଙ୍କର ଡିଜିଟାଲ ପଞ୍ଜୀକରଣ ବଢ଼ାଇବା ପାଇଁ ଅଭିନବ ରଣନୀତି ଆପଣାଇବାକୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ପିଏମ ସ୍ୱନିଧି ଯୋଜନାର ହିତାଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରୋଫାଇଲିଂ ବା ପରିଚୟ ତଥ୍ୟରେ ସୁଧାର ଆଣିବା ଉପରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଯାହାଫଳରେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇପାରିବ ।
ସୂଚନାଯୋଗ୍ୟ ଯେ ରାସ୍ତାକଡ଼ ଉଠା ଦୋକାନୀଙ୍କ ଆର୍ôଥକ ବିକାଶ ପାଇଁ ସେମାନଙ୍କୁ ବାଧାମୁକ୍ତ ଭାବେ ଶସ୍ତା ଋଣ ଯୋଗାଇ ଦେବା ଏବଂ ସେମାନଙ୍କର ଡିଜିଟାଲ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ପିଏମ ସ୍ୱନିଧି ଯୋଜନା କାର୍ଯ୍ୟକାରୀ କରାଯାଉଛି ଯଦ୍ଦ୍ୱାରା ସେମାନଙ୍କର ସଶକ୍ତିକରଣ ହୋଇପାରିବ ।
ଉଠାଦୋକାନୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବା କ୍ଷେତ୍ରରେ ଏହି ଯୋଜନା ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ଅଧୀନ ଅର୍ଥ ସେବା ବିଭାଗ ଦ୍ୱାରା ମିଳିତ ଭାବେ ଏହି ଯୋଜନାର ପ୍ରଦର୍ଶନକୁ ନିୟମିତ ଅନୁଧ୍ୟାନ କରାଯାଉଛି । ଫଳରେ ସାରା ଦେଶରେ ଯୋଜନାର ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରୁଛି । ୯ ଅଗଷ୍ଟ ୨୦୨୩ ସୁଦ୍ଧା ୫୬ ଲକ୍ଷ ୭୦ ହଜାର ଆବେଦନକୁ ମଞ୍ଜୁରି ମିଳିଥିବା ବେଳେ ୫୩ ଲକ୍ଷ ୧୯ଟି ଆବେଦନ ବାବଦରେ ୬ ହଜାର ୮୮୩ କୋଟି ଟଙ୍କାର ଋଣ ବିତରଣ କରାଯାଇସାରିଛି ।